ଭଞ୍ଜନଗର, (ଓଡ଼ିଶା ଲେଖା): ଭଞ୍ଜନଗର ସହରର ବଡକୋଦଣ୍ଡା ଛକ ନିକଟରେ ରହିଥିବା ବିଶ୍ରାମ ଗୃହ ରାତାରାତି ଗାୟବ ହୋଇଯାଇଛି। ରାତି ରେ ସଠିକ୍ ଭାବେ ଛିଡ଼ା ହୋଇଥିବା ଦିର୍ଘବର୍ଷର ପୁରୁଣା ଏହି ବିଶ୍ରାମ ଗୃହ ରାତି ପାହିଲା ବେଳକୁ ମାଟିରେ ମିଶି ଯାଇଛି। ସାଧାରଣତଃ ସୁନା ଗହଣା, ଟଙ୍କା, ଗାଡ଼ି ଚୋରି ହେବା ଘଟଣା ସାମ୍ନାକୁ ଆସେ। କିନ୍ତୁ ଗୃହ ଚୋରି ହୋଇଥିବା କଥା କେବେ ଶୁଣିନଥିବେ। ଏହି ଘଟଣା ଏବେ ଭଞ୍ଜନଗରରେ ଚର୍ଚ୍ଚାର ବିଷୟ ପାଲଟିଛି। ଦୀର୍ଘ ୩୦ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଯାତ୍ରୀ ମାନଙ୍କୁ ଆଶ୍ରୟ ଦେଉଥିଲା ଏହି ବିଶ୍ରାମ ଗୃହ। ଭଞ୍ଜନଗର ସହର ଉପକଣ୍ଠ ବଡ଼କୋଦଣ୍ଡା, ସାନକୋଦଣ୍ଡା, ଡୁମାକୁମ୍ପା, ବାଇବାଲି ଭଳି ୧୦ଟି ପଞ୍ଚାୟତର ଲୋକେ ବସ୍ କୁ ଅପେକ୍ଷା କରିବା ପାଇଁ ଏହି ଯାତ୍ରୀ ବିଶ୍ରାମ ଗୃହ ଉପରେ ନିର୍ଭର କରୁଥିଲେ। ଖରା ବର୍ଷାରୁ ଲୋକଙ୍କୁ ଟିକିଏ ମୁକ୍ତି ମିଳିବା ପାଇଁ ବ୍ଲକ ପ୍ରଶାସନ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବିଶ୍ରାମଗାର ଟିଏ ନିର୍ମାଣ କରିଥିଲା। କିନ୍ତୁ ଏବେ ତାହା ମାଟି ରେ ମିଶି ସାରିଛି। ଏହି ବିଷୟକୁ ନେଇ ପ୍ରଶାସନ କିମ୍ବା ଜନପ୍ରତିନିଧି ଆଗ୍ରହ ଦେଖାଉନଥିବା ଜଣାପଡ଼ିଛି। ତେବେ କିଏ ଆଉ କାହିଁକି ବିଶ୍ରାମ ଗୃହ କୁ ଭାଙ୍ଗିଲା ସାଧାରଣରେ ଏହି ପ୍ରଶ୍ନ ଉଠିଛି। ସେଠାରେ ନୂତନ ଭାବେ ଏକ ବିଶ୍ରାମ ଗୃହ ନିର୍ମାଣ କରିବା ପାଇଁ ବୁଦ୍ଧିଜୀବୀ ମାନେ ମତ ରଖିଛନ୍ତି।
ରିପୋର୍ଟ: ରବି ନାରାୟଣ ଦାଶ

