ନରସିଂହପୁର, (ଓଡ଼ିଶା ଲେଖା): ଶବ ସଂସ୍କାର ପାଇଁ ମିଳିଲାନି କାନ୍ଧ। ଦେବଦୂତ ସାଜି ପାଖରେ ଠିଆ ହେଲା ମୁକ୍ତି ସଂଗଠନ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର କାଠଖୁଣ୍ଟ ପଞ୍ଚାୟତ ଅଞ୍ଚଳରେ। ସୂଚନାନୁସାରେ, ନରସିଂହପୁର ବ୍ଲକ ଅନ୍ତର୍ଗତ କାଠଖୁଣ୍ଟ ପଂଚାୟତ ସୁବଳୟା ବାଲିଡିହା ଗ୍ରାମର କିଶୋର ଦଳେଇ କିଛିଦିନ ହେଲା ମେଡିକାଲ ଚିକିତ୍ସା ହେଉଥିବା ବେଳେ ସୋମବାର ରାତି ୯ଟା ସମୟରେ ପରଲୋକ ଘଟିଥିଲା। କିଶୋର ପରିବାର ଲୋକ ତାଙ୍କ ଘରକୁ ସବ ସଂସ୍କାର ପାଇଁ ଆଣିଥିବା ବେଳେ ତାଙ୍କ ଶବ ସଂସ୍କାର କରିବା ପାଇଁ ଗାଁରେ ଲୋକ ମିଳିନଥିଲେ । ଏମିତିକି ଶବ ସଂସ୍କାର ପାଇଁ କେହି ବି ଆଗ୍ରହ ପ୍ରକାଶ କରି ଆସିନଥିଲେ।

କୌଣସି ପ୍ରକାରର ସହଯୋଗ କରିନଥିଲେ କି କାନ୍ଧ ଦେଇନଥିଲେ ପରିବାରଲୋକ, ବନ୍ଧୁ ବାନ୍ଧବ, ସାହି ଭାଇ ଯାହା ଫଳରେ ବହୁତ ଅସୁବିଧାର ସମୁଖୀନ ହୋଇଥିଲେ ତାଙ୍କ ପତ୍ନୀ । ଅତ୍ୟଧିକ ବର୍ଷା, ବିଜୁଳି, ପବନରେ କଣ କରିବେ କିଛି ଉପାୟ ନଥିଲା ପରେ ସେହି ଗ୍ରାମର ପ୍ରତାପ ଭାଇ ଏ ଖବର ପାଇ ସଙ୍ଗେ ସଙ୍ଗେ ମୁକ୍ତି ସଂଗଠନର ସଭାପତି ସୁଶାନ୍ତ କୁମାର ମହାନ୍ତିଙ୍କୁ ଜଣାଇବା ପରେ ବର୍ଷା ପବନ କୁ ଖାତିରି ନ କରି ତୁରନ୍ତ ସଭାପତି ସୁଶାନ୍ତ କୁମାର ମହାନ୍ତି ଏବଂ ସଙ୍ଗଠନ ର ସଦସ୍ୟ ମାନେ ବାଲିଡିହ ଠାରେ ପହଁଚି ଶବ ଦାହ କରିଥିଲେ ଯାହା ଫଳରେ ସେ ଅଂଚଳରେ ଏକ ଉଦାହରଣ ସୃଷ୍ଟି କରିଛି।

କେହି ନାହିଁ ଯାହାର ଆମେ ଅଛୁ ତାହାର ଗରିବ, ଖଟିଖିଆ, ଅସହାୟର ସାଥି ବୋଲି ମୁକ୍ତି ସଂଗଠନ ଆହ୍ୱାନ ଦେଇଛି। ତେବେ ମୁକ୍ତି ସଂଗଠନ ଏଭଳି ମାନବିକତା ପାଇଁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

