ଓଡ଼ିଶା ଲେଖା ଅଫିସ: ନୟାଗଡ଼ ପୌର ପରିଷଦ ଅଞ୍ଚଳରେ ଲାଗିଥିବା ସିସିଟିଭି ଅଚଳ । କର୍ଣ୍ଣପାତ କରୁନାହିଁ ଜିଲ୍ଲା ପ୍ରଶାସନ । ବଜେଟ ଆସୁଛି, ଖର୍ଚ୍ଚ ହେଉଛି କିନ୍ତୁ କାର୍ଯ୍ୟରେ ସୁଧାର ଆସୁନଥିବା ଜଣାପଡିଛି । ଏଭଳି ସଙ୍ଗିନୀ ସ୍ଥିତି ଦେଖାଦେଇଛି ନୟାଗଡ଼ ପୌର ପରିଷଦ ଅଞ୍ଚଳରେ । ନୟାଗଡ଼ ପୌର ପରିଷଦ ଅଞ୍ଚଳରେ ଅପରାଧ, ଚୋରୀ, ରାହାଜାନି, ଡକାୟତି ଆଦି ରୋକିବା ଓ ନଜର ରଖିବା ପାଇଁ ପୌର ପରିଷଦ ଅଞ୍ଚଳରେ ସିସିଟିଭି ଲଗାଯାଇଥିଲା । ଏବଂ ପୌର ପରିଷଦ ସିସିଟିଭି ଲଗାଇବା ପରେ ପୋଲିସକୁ ହସ୍ତାନ୍ତର କରିଥିଲେ । ସହରର ବିଭିନ୍ନ ସ୍ଥାନରେ ସିସିଟିଭି ଲାଗିଛି ସତ କିନ୍ତୁ ଅଚଳ ହୋଇପଡିଛି । ସହରର ମୁଖ୍ୟ ମୁଖ୍ୟ ସ୍ଥାନରେ 56ରୁ ଉର୍ଦ୍ଧ ସିସିଟିଭି ଲାଗିଥିବା ବେଳେ ସେଥିରୁ ମାତ୍ର 10ଟି ସିସିଟିଭି କାର୍ଯ୍ୟକ୍ଷମ କରୁଛି। ସହରରେ ସିସିଟିଭି ଲଗାଯିବାର 4/5ବର୍ଷ ହୋଇଥିଲେ ମଧ୍ୟ ରିପ୍ୟାରିଂ କରାଯାଉ ନାହିଁ । ଯାହାଫଳରେ 10ଟି ସିସିଟିଭି କୁ ଛାଡ଼ି ଅନ୍ୟ ସବୁ ଅଚଳ ହୋଇ ପଡିଛି । ସେପଟେ ଏନେଇ ବାରମ୍ବାର ପୋଲିସ ବିଭାଗ ନୟାଗଡ଼ ପୌର ପରିଷଦକୁ ଚିଠି କରିଛନ୍ତି। ସେଥିପାଇଁ ବଜେଟ ମଧ୍ୟ ବଢ଼ିଛି । କିନ୍ତୁ ଏହି ବଜେଟ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳଙ୍କ ଅନୁମୋଦନ ହେଲେ, ସିସିଟିଭି ସମସ୍ୟାର ସମାଧାନ ବାଟ ଫିଟିବ । କିନ୍ତୁ ଜିଲ୍ଲାପାଳ-ଜିଲ୍ଲା ଆରକ୍ଷୀ ଅଧିକ୍ଷକ-ପୌର ପରିଷଦର ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରହୁନଥିବା ଯୋଗୁଁ ଆଜି ସହରରେ ସିସିଟିଭି ସମସ୍ୟା ଦେଖାଦେଇଛି । ଯେଉଁଥି କାରଣରୁ କମ ସଂଖ୍ୟକ ପୋଲିସ କର୍ମଚାରୀ ସହର ଉପରେ ନଜର ରଖିବା ସହଜ ନୁହେଁ । ଯାହାଫଳରେ ଆପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖିବା ସମ୍ଭପର ନୁହେଁ । ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମାନେ ମତ ବ୍ୟକ୍ତ କରିଛନ୍ତି ।


