ନୟାଗଡ଼, (ଓଡ଼ିଶା ଲେଖା): ଓଡ଼ଗାଁରେ ମାଡ଼ ଖାଇଲା ଓଡ଼ିଆ ଅସ୍ମିତା। ଓଡ଼ିଆ ଅସ୍ମିତା କହି ସରକାରକୁ ଆସିଥିବା ବିଜେପି ଦଳ ଓଡ଼ିଆ ଅସ୍ମିତା ଗାଲରେ ଶକ୍ତ ଚାପୁଡ଼ା ମାରିଛି। ଯେଉଁ ବିଜେପି ଦଳର ନେତା ଓଡ଼ିଆ ଅସ୍ମିତା କହି ସରକାରକୁ ଆସିଲେ ସେହି ଦଳର ସାଂସଦ ଓଡ଼ିଆ ଅସ୍ମିତାର ଗାଲରେ ଶକ୍ତ ଚାପୁଡ଼ା ମାରିଛନ୍ତି। ହିନ୍ଦୁ ଓ ସନାନ୍ତନୀ ଧର୍ମର ଭାବାବେଗ ଓ ପ୍ରତ୍ୟେକ କ୍ଷେତ୍ରରେ ଇଷ୍ଟ ଦେବତା କହି ଶୁଭ କାର୍ଯ୍ୟରେ ପୂଜା ବିଧି କରାଯାଇ ନଡ଼ିଆ ଭାଙ୍ଗି ଶୁଭ କାର୍ଯ୍ୟର ଶୁଭାରମ୍ଭ କରାଯାଉଥିବା ବେଳେ ସାଂସଦ ମହୋଦୟ ଓଡ଼ିଆ ଅସ୍ମିତାର ଧଜିଆ ଉଡ଼ାଇ ଜୋତା ପିନ୍ଧି ନଡ଼ିଆ ଭାଙ୍ଗିଥିବା ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳରେ।
କବାଟ ନାହିଁ, ଝରକା ନାହିଁ:ରଙ୍ଗ ବୋଳାରେ ଲୋକାର୍ପଣ

ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ୯କୋଟି ଟଙ୍କାରେ ସହରୀ ଉନ୍ନତୀ କରଣ ଉପରେ କାର୍ଯ୍ୟ ହୋଇଥିବା ବେଳେ ଶୁକ୍ରବାର ଦିନ ଶୁଭ ଉଦ୍ଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୁରୀ ଲୋକ ସଭା ସାଂସଦ ଡ଼ ସମ୍ବିତ୍ ପାତ୍ର ଓ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ, ଜିଲ୍ଲାପାଳ ମଧୁମିତା ରଥ ଅତିଥି ଭାବେ ଯୋଗ ଦେଇ ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ନୂତନ କାର୍ଯ୍ୟାଳୟ, କଲ୍ୟାଣ ମଣ୍ଡପ, ଗଣେଶ ମାର୍କେଟ କମ୍ପ୍ଲେକ୍ସ, ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର ଓ ଆଦର୍ଶ କଲୋନୀର ଉଦଘାଟନ କରିଛନ୍ତି। ତେବେ ଏହି ଉଦଘାଟନ ଓ ଲୋକାର୍ପଣ ଉତ୍ସବରେ କିଛି ବ୍ୟତିକ୍ରମ ଦେଖାଦେଇଛି । ହିନ୍ଦୁ ଓ ସନାତନ ଧର୍ମର ଜନସାଧାରଣଙ୍କ ଭାବାବେଗ ସହ କୁଠାରଘାତ କରିଛନ୍ତି ଖୋଦ୍ ସାଂସଦ। ଜୋତା ପିନ୍ଧି ଶୁଭ କାର୍ଯ୍ୟରେ ଅଗ୍ରପୂଜ୍ୟ କଳସ ସମ୍ମୁଖରେ ନଡ଼ିଆ ଭାଙ୍ଗି ଉଦଘାଟନ କରିଥିଲେ। ଯାହାକୁ ବୁଦ୍ଧିଜୀବୀ ମହଲରେ ଦୃଢ଼ ନିନ୍ଦା କରାଯାଇଛି। ସେହିପର ଭାବେ ଆଦର୍ଶ କଲୋନୀ ମାନେ ଘର ସଂପୂର୍ଣ୍ଣ ଶେଷ ହୋଇଥିବ ଏବଂ କଲୋନୀ ପାନୀୟ ଜଳ, ଆଲୋକି କରଣ ବ୍ୟବସ୍ଥା, ସ୍ବଛତା ଓ ଶିକ୍ଷା କେନ୍ଦ୍ର କରାଗଲେ ସେଠାରେ ଆଦର୍ଶ କଲୋନୀର ଆଖ୍ୟା ମିଳୁଥିବା ବେଳେ ଏଠି କିନ୍ତୁ ଓଲଟା ଦେଖିବାକୁ ମିଳିଛି।

ଯେଉଁଠି କି ଅଧା ଗଢ଼ା, ସଂପୂର୍ଣ୍ଣ ହୋଇ ନଥିବା ଘର କିଛି ଉଦଘାଟନ କରି ଆଦର୍ଶ କଲୋନୀର ଲୋକାର୍ପଣ କରାଯାଇଥିବା ଦେଖିବାକୁ ମିଳିଛି। ଏମିତିକି ଯେଉଁ ଘର ଉଦଘାଟନ ହୋଇଛି କାହାର ସମ୍ପୂର୍ଣ ଶେଷ ହୋଇଛି ତ ଆଉ କାହାର କବାଟ, ଝରକା ଲାଗି ନଥିବା ଦେଖିବାକୁ ମିଳିଛି। ଆଜିର ଏହି କାର୍ଯ୍ୟକ୍ରମକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା ଆୟୋଜନ କରିଥିବା ବେଳେ ଓଡ଼ଗାଁ ବିଡ଼ିଓ ପ୍ରୀତିବାଳା ରଣା, ଓଡ଼ଗାଁ ତହସିଲଦାର, ସମସ୍ତ କର୍ମଚାରୀ ଓ ଜନସାଧାରଣ ଉପସ୍ଥିତ ଥିଲେ।

