ନୟାଗଡ଼, (ଓଡ଼ିଶା ଲେଖା): ରାତି ପାହିଲେ ରଜ, ଚାଲିଛି ସଜବାଜ। ଉତ୍ସବ ମୁଖର ହୋଇ ଉଠିଛି ଗାଁଠୁ ସହର। ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ.. , ଘେନି ନୂଆ ସଜବାଜ ସଜନୀଲୋ ଘେନି ନୂଆ ସଜବାଜ। ଠିକ୍ ସେହପରି ରଜ ଉତ୍ସବ ଟି ମହିଳା ମାନଙ୍କ ପାଇଁ ତିନି ଦିନ ଧରି ପାଳନ କରାଯାଉଛି। ମହିଳା ମାନେ ଓ ଯୁବତୀ ମାନେ ପହିଲି ରଜ, ରଜ ସଂକ୍ରାନ୍ତି ଓ ଶେଷ ରଜ ପର୍ଯ୍ୟନ୍ତ ସଜବାଜ ହୋଇ, ପୋଡ଼ ପିଠା ଖାଇ ଖୁଆଇ ଏବଂ ରଜ ପାନ ଖାଇ ଦୋଳି ଖେଳି ରଜ ଉତ୍ସବକୁ ଖୁବ୍ ଧୁମ୍ ଧାମରେ ପାଳନ କରି ଆସୁଛନ୍ତି। ତେବେ ନୟାଗଡ଼ ଜିଲ୍ଲାରେ ଏଭଳି ଏକ ଗାଁ ଅଛି, ଯେଉଁଠି ଗାଁ ଓ ଆଖ ପାଖ ଗାଁର ମହିଳା ମାନଙ୍କୁ ନେଇ ନିଜ ଗାଁରେ ଦୁଇଦିନ ଧରି ରଜ ଉତ୍ସବକୁ ବିଭିନ୍ନ ପ୍ରକାରର ପ୍ରତିଯୋଗିତା, ଖେଳ କୁଦ, ନାଚ ଗୀତ କରିବା, ବିଭିନ୍ନ ପିଠାପଣା କରି ଖାଇବା ଓ ରଜ ପାନ ଖାଇ ଖୁବ୍ ଧୁମ୍ ଧାମର ସହ ପାଳନ କରିଥାନ୍ତି। ଗାଁଟି ଛୋଟିଆ କିନ୍ତୁ ଗାଁ ଲୋକଙ୍କ ମନ ଓ ହୃଦୟ ବଡ଼। ରଜ ଉତ୍ସବକୁ ସରସ ସୁନ୍ଦର କରିବା ପାଇଁ ଆଗେଇ ଆସନ୍ତି ଗାଁର ଆଲୋକ ଜ୍ଯୋତି ୟୁଥ୍ କ୍ଳବ୍। ଏଭଳି ଏକ ନିଆରା ଗାଁ ହେଉଛି ନୟାଗଡ଼ ସଦର ବ୍ଲକ ଇକିରି ପଞ୍ଚାୟତର ନଛିପୁର ଗାଁ। ଆଜି ନୟାଗଡ଼ ଜିଲ୍ଲାରେ ବିଭିନ୍ନ୍ ଅଞ୍ଚଳରେ ଓ ବିଭିନ୍ନ୍ ସଙ୍ଗଠନରେ ଯାକ ଯମକରେ ରଜ ପାଳନ କରିବାକୁ ଆଗେଇ ଆସିଛନ୍ତି କିନ୍ତୁ ନଛିପୁର ଗାଁ ଦୀର୍ଘ ୧୦ବର୍ଷ ଧରି ଏହି ରଜ ଉତ୍ସବକୁ ଖୁବ୍ ଧୁମ୍ ଧାମର ସହ ବିଭିନ୍ନ୍ ପ୍ରତିଯୋଗିତା କରି ନାଚ ଗୀତ, ମଉଜ ମଜଲିସ କରି ପାଳନ କରିଆସୁଛନ୍ତି। ତେବେ ଆସନ୍ତା କାଲି ଆସୁଛି ରଜ ଉତ୍ସବ।

ତେଣୁ ନଛିପୁର ଗାଁର ୟୁଥ୍ କ୍ଳବ୍ ର ସଦସ୍ୟ ମାନେ ଚଳିତ ରଜ ଉତ୍ସବ କିପରି ସରସ ସୁନ୍ଦର ହେବ ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ତେବେ ଏହାରି ଭିତରେ ନଛିପୁର ରଜ ଉତ୍ସବର ପ୍ରସ୍ତୁତି ଏବଂ କାର୍ଯ୍ୟକ୍ରମ ଆସି ପହଞ୍ଚିଛି। ଚଳିତ ବର୍ଷ ରଜ ଉତ୍ସବକୁ କିଛି ନୂଆ ରୂପ ରେଖ ଦେବା ପାଇଁ ପ୍ରସ୍ତୁତି ହୋଇଛି। ତେବେ ପହିଲି ରଜରେ ସକାଳ ୯ଟା ସମୟରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବିଭିନ୍ନ୍ ପ୍ରତିଯୋଗିତା ଆୟୋଜନ କରାଯାଇଛି ଏବଂ ସନ୍ଧ୍ୟା ୭ଟା ସମୟରୁ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ସାହିତ୍ୟ ଆସର ମଧ୍ୟ ଖୁବ୍ ଜମିବ। ସେହିପରି ଦ୍ୱିତୀୟ ରଜ ତଥା ରଜ ସଂକ୍ରାନ୍ତିର ସନ୍ଧ୍ୟା ୭ଟାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଦୁଇଟି ସାମାଜିକ କ୍ଷୁଦ୍ର ନାଟକ ଏତେ ଦୁଃଖ କାଇଁ ଦେଲୁ ଦଇବ ଏବଂ ଆଉ ଗୋଟିଏ ନାଟକ ମଣିଷ ସମୟର ଦାସ କ୍ଷୁଦ୍ର ନାଟକ ମଞ୍ଚସ୍ଥ ହେବ। ତେଣୁ ଶାନ୍ତି ଶୃଙ୍ଖଳା ବଜାୟ ରଖି ନଛିପୁର ରଜ ଉତ୍ସବକୁ ଉପଭୋଗ କରିବା ପାଇଁ ନଛିପୁର ଆଲୋକ ଜ୍ଯୋତି ୟୁଥ୍ କ୍ଳବ୍ ପକ୍ଷରୁ ଅନୁରୋଧ କରାଯାଇଛି।

