ନୟାଗଡ଼ (ଓଡ଼ିଶା ଲେଖା): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାର ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପୁଷ୍ପା ନିଳୀମା ଲାକ୍ରା ଯୋଗ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିରରେ ଯୁବପିଢ଼ିଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ବିଶେଷ କରି କୁନ୍ତଳା ଦେବୀ ସ୍କୁଲ ଅଫ୍ ନର୍ସିଂର ଛାତ୍ର ଛାତ୍ରୀମାନେ ବହୁ ସଂଖ୍ୟାରେ ସାମିଲ ହୋଇ ରକ୍ତଦାନ କରି ଏହି ମହତ କାର୍ଯ୍ୟରେ ଭାଗିଦାର ହୋଇଥିଲେ। ରେଡ କ୍ରସ୍ ସଂଯୋଜକ ସମାଜସେବୀ ବିଭୁତି ଭୂଷଣ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶିବିର ଆୟୋଜନ କରାଯାଇଥିଲା। ରେଡ଼କ୍ରସ ଭଲ୍ୟୁଣ୍ଟର ଫୋରମ୍ର ଆବାହକ ସୁନୀତା ରାଣୀ ମହାପାତ୍ର, ସାମ୍ବାଦିକ ବିଭୁତି ପଟ୍ଟନାୟକ ଏବଂ ଫୋରମର ପ୍ରମୁଖ ସଦସ୍ୟ ମାନଙ୍କ ସହ ନୟାଗଡ଼ ରକ୍ତ ଭଣ୍ଡାରର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।


