ନୟାଗଡ଼, (ଓଡ଼ିଶା ଲେଖା): ଡବଲ ଇଞ୍ଜିନ ସରକାର ଓଡ଼ିଶାରେ ସରକାର ଗଠନ କରିବା ପରଠୁ ଏପ୍ରିଲ ୧ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରିଆସୁଅଛି। ତେବେ ଆଜି ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ନୟାଗଡ ଜିଲ୍ଲା ପ୍ରଶାସନ ତରଫରୁ ଏକ ଐତିହ୍ୟ ଗଣ ଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ୫୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ, ଅଭିଭାବକ, ବରିଷ୍ଠ ନାଗରିକ, ସାମ୍ବାଦିକ ଏବଂ ସମାଜର ବିଭିନ୍ନ ବର୍ଗର ଜନସାଧାରଣ ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇ॰ ଦେବାଶିଷ ପଟ୍ଟନାୟକ, ନୟାଗଡ଼ ପୌର ପରିଷଦର ଅଧ୍ୟକ୍ଷା ନିରୂପମା ଖଟେଇ, ଜିଲ୍ଲାପାଳ ମଧୁମିତା ରଥ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ଆସିଷ୍ଟାଣ୍ଟ କଲେକ୍ଟର ଅକ୍ଷୟ କୁମାର ବେହେରା, ଆଇଆଇସି ରଶ୍ମିରଞ୍ଜନ ପ୍ରଧାନ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଜିଲ୍ଲାପାଳ ଶ୍ରୀମତୀ ରଥ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ଏବଂ ଉଦ୍ଦେଶ୍ୟ ସମ୍ବନ୍ଧରେ ସମ୍ୟକ ଆଲୋକପାତ କରିଥିଲେ । ଏହି ଐତିହ୍ୟ ଗଣଦୌଡ କାର୍ଯ୍ୟକ୍ରମଟି ଜଗନ୍ନାଥ ମନ୍ଦିରରୁ ଆରମ୍ଭ ହୋଇ ପଠାଣି ସାମନ୍ତ ସଂସ୍କୃତି ଭବନ ଠାରେ ସମାପନ ହୋଇଥିଲା । ସେଠାରେ ସମସ୍ତ ଗଣ ଦୌଡ଼ାଳୀଙ୍କ ନିମନ୍ତେ ଜଳପାନର ବ୍ୟବସ୍ତା କରାଯାଇଥିଲା । ଏହି କାର୍ଯ୍ୟକ୍ରମଟିକୁ ନୟାଗଡ଼ ଜିଲ୍ଲା କ୍ରୀଡା ଅଧିକାରୀ ସୁଜାତା କୁମାରୀ ସାହୁ ସୂଚାରୁ ରୂପେ ପରିଚାଳନା କରିଥିଲେ ।

