ଭୁବନେଶ୍ବର, (ଓଡ଼ିଶା ଲେଖା): ଆଗକୁ ଆସୁଛି ବିଶ୍ବ ଛେନାପୋଡ଼ ଦିବସ। ଏହି ଏପ୍ରିଲ୍ ୧୧ ଦିବସଟିକୁ ସ୍ମରଣୀୟ କରିବା ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ତେବେ ଏହାରି ଭିତ୍ତରେ ନୟାଗଡ଼ ବିକାଶ ମଞ୍ଚ ପକ୍ଷରୁ ଭୁବନେଶ୍ବରରେ ଏକ ପ୍ରସ୍ତୁତି ବୈଠକ ଆୟୋଜନ କରିଥିଲେ ପ୍ରବାସୀ ନୟଗଡିଆ।ଉକ୍ତ ପ୍ରସ୍ତୁତି ବୈଠକ ଅନୁସାରେ ଚଳିତ ବର୍ଷ ବିଶ୍ବ ଛେନାପୋଡ଼ ଦିବସକୁ ଭୁବନେଶ୍ବର ଜୟଦେବ ଭବନ ନିଆରା ଢ଼ଙ୍ଗରେ ପାଳନ କରାଯିବ ବୋଲି ଜଣାପଡ଼ିଛି। ନୟାଗଡ଼ ବିକାଶ ମଞ୍ଚ ସଂଗଠନ ତରଫରୁ ବିଗତ ତିନି ବର୍ଷ ଧରି ଭୁବନେଶ୍ୱର ଜୟଦେବ ଭବନଠାରେ ରାଜ୍ୟ ସ୍ତରୀୟ ବିଶ୍ଵ ଛେନାପୋଡ଼ ଦିବସ ପାଳନ କରାଯାଉଛି। ଆଜିର ଏହି ପ୍ରସ୍ତୁତି ବୈଠକରେ ଏ ବର୍ଷର ବିଶ୍ୱ ଛେନାପୋଡ଼ ଦିବସ ନୂଆ ଢଙ୍ଗରେ ପାଳନ କରାଯିବ ବୋଲି ଆଲୋଚନା କରାଯାଇଛି। ସୂଚନାନୁସାରେ, ବିଶ୍ୱ ଛେନାପୋଡ଼ ଦିବସ ଉତ୍ସବରେ ଏଥର ସିନେମା କଳାକାର ଓ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କ ଗହଣରେ ଉତ୍ସବ ପାଳନ କରାଯିବ। ଏବଂ ରାମ ମନ୍ଦିରରୁ ମାଷ୍ଟର କ୍ୟାଣ୍ଟିନ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ଆୟୋଜନ କରାଯିବ। ଏହି ଶୋଭାଯାତ୍ରାର ନୟାଗଡ଼ର ବାଘ ନାଚ, ପାଇକ, ଦଣ୍ଡ ନାଚ, ଚଡୟା ସୁଆଙ୍ଗ ଆଦି ପ୍ରଦର୍ଶିତ ହେବ। ଆଜିର ଏ ବୈଠକରେ ଶୁଭ୍ରାଂଶୁ ପଣ୍ଡା, ସୁବ୍ରତ ନାୟକ, ଆଶିଷ ରଥ, ଆଶୁତୋଷ ଦାସ, ରୋହନ ମହାପାତ୍ର, ସୁଧାଂଶୁ ସାହୁ, ଉମାକାନ୍ତ ମହାପାତ୍ର, ଯତୀନ କୁମାର , ବିଶ୍ୱଜିତ୍ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଥାଉକି ଏହି ସଂଗଠନ ଦୀର୍ଘ ଦିନ ହେବ ଛେନାପୋଡ଼କୁ ଜିଆଇ (GI) ଟ୍ୟାଗ ମାନ୍ୟତା ପାଇଁ ପ୍ରୟାସ ଜାରି ରଖିଛନ୍ତି।


