ନୟାଗଡ଼, (ଓଡ଼ିଶା ଲେଖା): ଜିଲ୍ଲା ସ୍ତରୀୟ ଓଡିଶା ଦିବସ ନୟାଗଡ଼ ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ମହାସମାରୋହରେ ପାଳନ ହୋଇଯାଇଛି । ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଓଡ଼ିଶା ସରକାରଙ୍କ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ନୟାଗଡ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ନବ ନିଯୁକ୍ତ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ଵାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ନୟାଗଡ଼ ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଜିଲ୍ଲାପାଳ ମଧୁମିତା ରଥ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ ମଞ୍ଚାସିନ ହୋଇ ଓଡ଼ିଶା ଦିବସ ଉପଲକ୍ଷେ ସୁଚିନ୍ତିତ ଅଭିବାଦନ ରଖିଥିଲେ।

ବୈଠକର ପ୍ରାରମ୍ଭରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସିଂ ଦେଓ ପ୍ରଦୀପ ପ୍ରଜ୍ବଳନ ସଭା କାର୍ଯ୍ୟର ଶୁଭାରମ୍ଭ କରିବା ପରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ କରାଯାଇଥିଲା । ଓଡିଶା ଦିବସ ଉପଲକ୍ଷେ ବରେଣ୍ୟ ଅତିଥିମାନଙ୍କୁ ଉତ୍ତରୀୟ ଏବଂ ଚାରା ପ୍ରଦାନ କରାଯାଇ ସ୍ୱାଗତ କରାଯାଇଥିଲା । ଓଡିଶା ଦିବସ ଉପଲକ୍ଷେ ହୋଇଥିବା ଜିଲ୍ଲା ସ୍ତରୀୟ ବକୃତା ଏବଂ ପ୍ରବନ୍ଧ ,ଫାନସି ଡ୍ରେସ, କୁଇଜ ପ୍ରତିଯୋଗିତାରେ ୨୦ ଜଣ କୃତି ଛାତ୍ର ଛାତ୍ରୀମାନଙ୍କୁ ଅତିଥି ମାନଙ୍କ ହସ୍ତରେ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥି ସହିତ ଓଡ଼ିଶାର କଳା, ସଂସ୍କୃତି, ଐତିହ ଓ ପରମ୍ପରା ଉପରେ ଫଟୋ ପ୍ରଦର୍ଶନି ମଧ୍ୟ କରାଯାଇଥିଲା ।ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ଧନ୍ୟବାଦ ପ୍ରଦାନ କରିଥିଲେ। ଏହା ପରେ ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ତରଫରୁ ସକାଳ ଘ.୬. ୩୦ମି. ସମୟରେ ଡାକବାଜି ଯନ୍ତ୍ର ଯୋଗେ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇଥିଲା ।

ଏହା ପରେ ନୟାଗଡ଼ ପୌର ପରିଷଦ ମଧ୍ୟରେ ଅବସ୍ଥାପିତ ବିଭିନ୍ନ ସ୍ଥାନରେ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ସମ୍ମାନନୀୟ ଜିଲ୍ଲାପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ମଧୁମିତା ରଥ, ପୌର ପରିଷଦ ଅଧକ୍ଷା ନିରୁପମା ଖଟେଇ, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ)ରୋଜିନା ଦାସ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ବିଜୟା ନନ୍ଦ ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ, ଲଗ୍ନଜିତ ରାଉତ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଜନ ସାଧାରଣ ସାମିଲ ହୋଇଥିଲେ ।

ଦିବା ୧୧ ଘଟିକା ସମୟରେ ଏକ ଫ୍ୟାନସି ଡ୍ରେସ ଓ କୁଇଜ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ପରେ ପରେ ଜିଲ୍ଲା ପ୍ରଶାସନ ଓ ଉତ୍କଳ ସମ୍ମିଳନୀ ନୟାଗଡ଼ ଶାଖା ଦ୍ୱାରା ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାର ବରିଷ୍ଠ ଅଧିକାରୀ, ଉତ୍କଳ ସମ୍ମିଳନୀ, ନୟାଗଡ ଶାଖାର ସଭାପତି ଅରୁଣ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।


