ନୟାଗଡ଼, (ଓଡ଼ିଶା ଲେଖା): ଜୟ ନୟାଗଡ଼ ଫାଉଣ୍ଡେସନ ପକ୍ଷରୁ ନୟାଗଡ଼ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜୟ ନୟାଗଡ଼ ଫାଉଣ୍ଡେସନର ପ୍ରତିଷ୍ଠାତା ଶେଖ୍ ଅବଦୁଲ୍ ଆହାଦ, ସାମ୍ବାଦିକ ଭବନର ସଭାପତି ବୈଦ୍ୟ ଭୂଷଣ ମହାପାତ୍ର, ବରିଷ୍ଠ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ବରିଷ୍ଠ ସମାଜସେବୀ ତଥା ଆଇନଜୀବି ମନୋଜ କୁମାର ସାହୁ, ବରିଷ୍ଠ ସମାଜସେବୀ ଶ୍ରୀଧର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାର ଚଳିତ ବଜେଟ୍ ଉପସ୍ଥାପନରେ ନୟାଗଡ଼ ଜିଲ୍ଲାକୁ କୋଣଠେଶା କରୁଥିବା ନେଇ ବର୍ଷିଥିଲେ। ବିଗତ ମାସ ମାସ ଧରି ନୟାଗଡ଼ ଜିଲ୍ଲା ସଦମହକୁମାରେ ଏକ ଭେଷଜ ମେଡିକାଲ୍ କଲେଜ ନେଇ ଦାବି ହେଇ ଆସୁଥିବା ଏବଂ ଆନ୍ଦୋଳନ ହେଉଥିବା ବେଳେ ରାଜ୍ୟ ସରକାର ହୋମିଓପାଥି ମେଡ଼ିକାଲ କଲେଜ ଖୋଲିବା ନେଇ ଘୋଷଣା କରିବା ଲଲିପପ୍ ଧରେଇବା ସଦୃଶ ହୋଇଛି।

ତେଣୁ ଏହାକୁ ଜୋର୍ ଦାର୍ ବିରୋଧ କରାଯିବ । ତେଣୁ ଆସନ୍ତା ୨୪ତାରିଖ ଦିନ ଜୟ ନୟାଗଡ଼ ଫାଉଣ୍ଡେସନ ପକ୍ଷରୁ ନୟାଗଡ଼ ସହର ୧୨ଘଣ୍ଟିଆ ବନ୍ଦ ଡାକରା ଦେଇଛି। ତେଣୁ ବାଣିଜ୍ୟ ପ୍ରତିଷ୍ଠାନ ବନ୍ଦ କରି ରାଜ୍ୟ ସରକାରଙ୍କୁ ଛୋଟିଆ ଝଟକା ଦେବା ପାଇଁ ନୟାଗଡ଼ ସହରବାସୀ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇବା ସହ ଏଥିରେ ସାମିଲ୍ ହେବାକୁ ଜୟ ନୟାଗଡ଼ ଫାଉଣ୍ଡେସନ ପକ୍ଷରୁ ଅନୁରୋଧ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଜୟ ନୟାଗଡ଼ ଫାଉଣ୍ଡେସନର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ।


