ନୟାଗଡ଼, (ଓଡ଼ିଶା ଲେଖା): ବରଯାତ୍ରୀ ରୋଷଣୀ ନେଇ ବର ଯାଉଥିବା ବେଳେ ଘଟିଲା ଅଘଟଣ। ହାତରେ ବାଣ ଫୁଟି ଜଣେ ଯୁବକ ଗୁରୁତର ଆହତ ତଥା ହାତ ପାପୁଲିଟି ନଷ୍ଟ ହୋଇଥିବା ଜଣାପଡ଼ିଛି। ଡାକ୍ତର ତାଙ୍କୁ ଏମ୍ସ ହସ୍ପିଟାଲକୁ ରେଫର୍ କରିଦେଇଥିବା ଜଣାପଡ଼ିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଇଟାମାଟି ଥାନା ଅନ୍ତର୍ଗତ ପ୍ରତାପ ପ୍ରସାଦ ଅଞ୍ଚଳରେ।

ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ପ୍ରତାପ ପ୍ରସାଦ ନିକଟରେ ଥିବା ଭୈରବୀ ମନ୍ଦିରକୁ ଆଜି ସଂଧ୍ୟାରେ ଏକ ବାହାଘର ବରଯାତ୍ରୀ ଯାଉଥିବା ବେଳେ, ସେହି ଗାଁର ଭଗବାନ ନାୟକଙ୍କ ପୁଅ ଚିନ୍ମୟ ମାନସିଂହ ସଟ ବାଣ ଫୁଟାଉଥିବା ବେଳେ ଦୁର୍ଭାଗ୍ୟ ବଶତଃ ବାମ ହାତରେ ଫୁଟି ଯାଇଥିଲା। ତେବେ ଯୁବକଙ୍କ ସହଯୋଗୀ ମାନେ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଇଥିଲେ। ଯୁବକଙ୍କ ବାମ ହାତ ପାପୁଲି ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା କାରଣରୁ ଡାକ୍ତର ପ୍ରାଥମିକ ଚିକିତ୍ସା କରି, ଭୁବନେଶ୍ଵର ଏମ୍ସ ହସ୍ପିଟାଲ୍ କୁ ରେଫର କରିଦେଇଥିବା ସୂଚନା ମିଳିଛି।

