ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ବିଷୟ। ଦେଶ ସୀମାରେ ସୁରକ୍ଷା ଦାତା ସାଜିବେ ନୟାଗଡ଼ ଜିଲ୍ଲା ମାଟିର ଝିଅ ରୋଜାଲିନ ବେହେରା। ସେ ବର୍ଡର ସିକ୍ୟୁରିଟ ଫୋର୍ସ ଭାବେ ନିଯୁକ୍ତି ପାଇଛନ୍ତି। ରୋଜାଲିନ ନୟାଗଡ଼ ଜିଲ୍ଲାର ଏକ ମାତ୍ର ଝିଅ ଯିଏ କି ସୀମା ସୁରକ୍ଷା ଦାତା ଭାବେ ଦେଶବାସୀଙ୍କ ପାଇଁ ସୁରକ୍ଷା ପ୍ରହରୀ ସାଜି ସୁରକ୍ଷା ଯୋଗାଇଦେବେ। ରୋଜାଲିନ ହେଉଛନ୍ତି ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଣିଆ ଗାଁର ପରୀକ୍ଷିତ ବେହେରାଙ୍କ ଝିଅ। ପିଲାଟି ଦିନରୁ ଭଲ ପାଠ ପଢ଼ିବା ସହ ଡିଫେନ୍ସ ଲାଇନ୍ ରେ ଯିବାକୁ ମନ ବଳାଇଥିଲେ। କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ରୋଜାଲିନଙ୍କ ଆଗରେ ସବୁ ବାଧାବିଘ୍ନ ହାର ମାନିଛି। ନିଜର ଚେଷ୍ଟା ବଳରେ ଆଜି ଦେଶ ମାତୃକାର ସେବା ପାଇଁ ସୀମା ସୁରକ୍ଷା ବାହିନୀ(ବିଏସଏଫ୍)ରେ ଚୟନ ହୋଇ ସମଗ୍ର ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି ଗଣିଆ ଗାଁର ଯୁବତୀ ରୋଜାଲିନ ବେହେରା । ତାଙ୍କର ଏହି ସଫଳତା ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ତାଙ୍କର ଏହି ସଫଳତା ଆଜିର ଯୁବକ ଯୁବତୀଙ୍କ ପାଇଁ ଏକ ବଡ଼ ପ୍ରେରଣା ସାଜିଛି । ଏହି ଖବର ବିଜୁଳି ବେଗରେ ଖେଳିଯିବା ପରେ, ବିଭିନ୍ନ ମହଲରୁ ତାଙ୍କ ପାଖକୁ ଶୁଭେଚ୍ଛା ଓ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ଆଗାମୀ ଦିନରେ ସେ ନିଜର କର୍ତ୍ତବ୍ୟ ନିଷ୍ଠାର ସହ ପାଳନ କରି ଦେଶ ତଥା ଓଡ଼ିଶାର ନାମ ରଖିବେ ବୋଲି ସ୍ଥାନୀୟ ବାସିନ୍ଦା ଆଶା ପ୍ରକଟ କରିଛନ୍ତି ।

