ନୟାଗଡ଼, (ଓଡ଼ିଶା ଲେଖା): ଖୋର୍ଦ୍ଧା ବଲାଙ୍ଗୀର ଜାତୀୟରାଜପଥର ହାଟଦ୍ବାର ନିକଟରେ ହାଇୱା ଧକ୍କାରେ ଜଣେ ମୃତ । ମୃତକ ହେଲେ ହାଟଦ୍ବାର ଗ୍ରାମର ଗୋବିନ୍ଦ ନାୟକ । ଘଟଣାସ୍ଥଳରେ ଉତ୍ତେଜନା ସହ କ୍ଷତିପୂରଣ ଦାବିରେ ସ୍ଥାନୀୟଲୋକଙ୍କ ରାସ୍ତାରୋକ । ନୟାଗଡ ଟାଉନ୍ ଥାନା ଅନ୍ତର୍ଗତ ହାଟଦ୍ବାର ଗ୍ରାମର ଗୋବିନ୍ଦ ଗାଁ ରାସ୍ତାକଡରେ ବସିଥିବା ସମୟରେ ଏକ ହାଇୱା ଦୃତଗତିରେ ଆସି ତାଙ୍କୁ ଚାପିଦେଇଥିଲ । ଫଳରେ ଘଟଣାସ୍ଥଳରେ ହିଁ ଗୋବିନ୍ଦଙ୍କ ମୃତ୍ଯୁ ହୋଇଯାଇଥିଲା ।

ଡ୍ରାଇଭର ଫୋନରେ କଥା ହୋଇ ଦୃତଗତିରେ ଗାଡି ଚଲାଉଥିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଦୁର୍ଘଟଣା ପରେ କ୍ଷତିପୂରଣ ଦାବିରେ ଲୋକମାନେ ଜାତୀୟରାଜପଥକୁ ଅବରୋଧ କରିଛନ୍ତି । ଫଳରେ ବହୁ ସଂଖ୍ଯାରେ ଗାଡି ଅଟକି ରହିଛି । ଡ୍ରାଇଭରକୁ ଗ୍ରାମବାସୀ ଅଟକ ରଖି ପୋଲସ ଜିମା ଦେଇଛନ୍ତି । ଗୋବିନ୍ଦଙ୍କର ଦୁଇଟି ପୁଅ ପୂର୍ବରୁ ମୃତ୍ଯୁବରଣ କରିଥିବାରୁ ସେ ଦୁଇ ବୋହୁ ଏବଂ ସେମାନଙ୍କ ପିଲାମାନଙ୍କୁ ଶ୍ରମିକ କାମ କରି ଚଳାଉଥିଲେ । ଗରିବବର୍ଗର ଏହି ପରିବାରକୁ ସହାୟତା ପାଇଁ ଲୋକମାନେ ଦାବି କରିଛନ୍ତି । ସେପଟେ ଟାଉନ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା।


