ବଡ଼ମ୍ବା, ( ଓଡ଼ିଶା ଲେଖା): ଟୁରିଷ୍ଟ ବସରେ ଗୋ ଚାଲାଣ ଉଦ୍ୟମ । ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଲେ ବି ଘଟଣା ଟି ସତ । ବସ ଟି ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣାପଡ଼ିଲା ଗୋ ମାଫିଆଙ୍କ ଅସଲି ଖେଳ । ଚକାଚକ୍ ବସ, ବସ ଆଗରେ ଲେଖା ହୋଇଛି ଟୁରିଷ୍ଟ ବସ କିନ୍ତୁ ଭିତରେ ସିଟ୍ ନାହିଁ । କେବଳ ପଘା ଦେଖିବାକୁ ମିଳିଛି । ଏଭଳି ଗୋ ଚାଲାଣ ହେଉଥିବା ନେଇ ଜଣାପଡ଼ିଲା ବସ୍ ଟି ଦୁର୍ଘଟଣାଗ୍ରସ୍ତ ହେବାରୁ । ତେବେ ଯାହା ହେଉ ବଡ଼ମ୍ବା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟୁରିଷ୍ଟ ବସ ଓଁ ଶିଭମ୍ (ଓଡ଼ି ୦୬ଜେ ୭୯୭୫) ନମ୍ୱର ଗାଡ଼ିକୁ ଜବତ୍ କରିବା ସହ ତଦନ୍ତ ଆରମ୍ଭ କରିଛି ।

ସୂଚନାନୁସାରେ, ସୋମବାର ବିଳମ୍ବିତ ରାତିରେ କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗତ ବଡ ବାରସିଂହ ଛକ ନିକଟରେ ଦୃତଗତିରେ ଆସୁଥିବା ଓଁ ଶିଭମ ଟୁରିଷ୍ଟ ବସ ତଥା ଗୋ ଚାଲାଣ ଟୁରିଷ୍ଟ ବସ ଟି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟାଇଥିଲା । ସ୍ଥାନୀୟ ଲୋକ ଉଦ୍ଧାର କରିବାକୁ ଗଲା ସମୟରେ ଗାଡ଼ିକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ବସ ଭିତରେ ଲୋକ ନଥିଲେ କି ସିଟ୍ ନଥିଲା, ଚକଚକ୍ ବସରେ ଗୋ ଚାଲାଣ ପାଇଁ ପଘା ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସି ଗାଡ଼ିକୁ ଜବତ୍ କରି ଏକ ମାମଲା ରୁଜୁ କରି ଏହି ବସ ସାଙ୍ଗରେ କିଏ କିଏ ସଂପୃକ୍ତ ଅଛନ୍ତି ତାହାର ତନାଘନା ଆରମ୍ଭ କରିଛି ।

