ନୟାଗଡ଼, (ଓଡ଼ିଶା ଲେଖା): ନୂଆ ବର୍ଷର ପ୍ରଥମ ଅଭିଯୋଗ ଶୁଣାଣୀ । ନୂତନ ଜିଲ୍ଲାପାଳଙ୍କ ପ୍ରଥମ ଦିନର ଯୋଗଦାନ ଦିବସରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର କୋଣ ଅନୁକୋଣରୁ ୯୪ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଥିରୁ ମାତ୍ର ୧୪ଟି ଅଭିଯୋଗର ତତ୍ କ୍ଷଣାତ ସମାଧାନ କରାଯାଇଛି । ବ୍ୟକ୍ତିଗତ ସମସ୍ୟା ନେଇ ୮୫ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ଗ୍ରାମର ସମୂହ ସମସ୍ୟା ନେଇ ୪ଟି ଅଭିଯୋଗରେ ପଞ୍ଜିକୃତ ହୋଇଥିଲା । ତେବେ ମୂଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତା ପାଇଁ ୫ଜଣ ପଞ୍ଜିକୃତ କରିଥିଲେ । ତେବେ ଏହି ସମସ୍ତ ଅଭିଯୋଗ ପତ୍ର ଦେଖିବା ପରେ ଜିଲ୍ଲାପାଳ ମଧୁମିତା ରଥ କ୍ଷୋଭ ପ୍ରକାଶ କରିଥିଲେ ।

ବ୍ଲକ୍ ସ୍ତରରେ ଅଭିଯୋଗ ଗୁଡ଼ିକ ସମାଧାନ କରାଯାଉ ନାହିଁ, ଯାହାଫଳରେ ଅଭିଯୋଗକାରୀ ବିଭିନ୍ନ ଅସୁବିଧାର ସମ୍ମୁଖିନ ହୋଇ ଜିଲ୍ଲା ମୁଖ୍ୟାଳୟକୁ ଆସି ଅଭିଯୋଗ କରିବା ଦୁଃଖ ଓ ପରିତାପର ବିଷୟ ବୋଲି କହିଥିଲେ ନୂତନ ଜିଲ୍ଲାପାଳ । ତେଣୁ ବ୍ଲକ୍ ସ୍ତରରେ ସମସ୍ୟା ଗୁଡ଼ିକୁ ବ୍ଲକ୍ ଅଧିକାରୀ ମାନେ ସମାଧାନ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କ ସହ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ୍ ରାଉତ, ତହସିଲଦାର ରାଜେଶ କେଶରୀ ସ୍ୱାଇଁ, ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଐଶ୍ୱର୍ଯ୍ୟା ଭୂୟାଁ ଓ ଜିଲ୍ଲା ସ୍ତରୀୟ ସମସ୍ତ ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀମାନେ ଉପସ୍ଥିତ ଥିଲେ ।


