ନୟାଗଡ଼, (ଓଡ଼ିଶା ଲେଖା): ସ୍ୱାଧିନତାର ଦୀର୍ଘବର୍ଷ ପରେ ପୁନଃ ସ୍ୱାଧିନତାର ସ୍ୱାଦ ଚାଖିଛି ଉପାନ୍ତ ଗାଁ ନେପାଳ । ନୟାଗଡ଼ ଜିଲ୍ଲାର ସବୁଠାରୁ ଉପାନ୍ତ ଓ ଅପହଞ୍ଚ ଗାଁରେ ୨୦୨୫ ମସିହା ଶେଷ ଦିନରେ ବିକାଶ ପହଞ୍ଚିଛି । ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ବାଣ୍ଠପୁର ପଞ୍ଚାୟତ ବିଚ୍ଛିନ୍ନାଞ୍ଚଳ ଅନୁସୂଚିତ ଜନଜାତି ନେପାଳ ଗାଁକୁ ଫିଟିଛି ରାସ୍ତା । ପ୍ରତି ପରିବାରକୁ ସୌରଶକ୍ତି ମାଧ୍ୟମରେ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥାକୁ ଆଜି ଉଦଘାଟନ କରାଯାଇଛି । ଗାଁ ଦାଣ୍ଡରେ ଲାଗିଲା ଷ୍ଟ୍ରିଟ ଲାଇଟ୍ ଜଳିବା ଦେଖି ଗ୍ରାମବାସୀ ଖୁସିରେ ଝୁମିଛନ୍ତି।

ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ପ୍ରଚେଷ୍ଟା ଓ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗୋଟିଏ ଉପ୍ତାନ୍ତ ଗାଁରେ ଏକକାଳୀନ ସମସ୍ତ ସୁବିଧା ପହଞ୍ଚା ଯାଇଛି । ବୁଧବାର ସନ୍ଧ୍ୟାରେ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ତତ୍ୱାବଧାନରେ ଏହି ସମସ୍ତ ବିକାଶ ମୂଳକ କାର୍ଯ୍ୟକୁ ଗ୍ରାମବାସୀଙ୍କ ପାଇଁ ସମର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ପୁରୀ ଲୋକସଭା ସାଂସଦ ସମ୍ବିତ୍ ପାତ୍ର, ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ସିଂ, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ୍ ରାଉତ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ଜିଲ୍ଲାପରିଷଦ ସଭ୍ୟା ବିରଜା ଲକ୍ଷ୍ମୀ ସାହୁ, ଝିଲ୍ଲୀ ପ୍ରଧାନ, ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ, ବାଣ୍ଠପୁର ସରପଞ୍ଚ ସୁନିତା ବାରିକ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶିବ ନାରାୟଣ ସିଂ, ସହକାରୀ କୃଷି ଉଦ୍ୟାନ ଅଧିକାରୀ ଅଜିତ କୁମାର ନାୟକ, ଓଡ଼ଗାଁ ବ୍ଳକ ବିଡ଼ିଓ ପ୍ରିତିବାଳା ରଣା, ତହସିଲଦାର ଡ. ମାନସ ରଞ୍ଜନ ଭୋଇ, ଅତିରିକ୍ତ ତହସିଲଦାର ଜି ଶ୍ରୀନୁଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ପଞ୍ଚାୟତ ଜନପ୍ରତିନିଧି ସାମିଲ ହୋଇଥିଲେ ।

ଗ୍ରାମବାସୀଙ୍କ ଉପସ୍ଥିତିରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଓ ଆଲୋକି କରଣ କାର୍ଯ୍ୟର ଉଦଘାଟନ ହୋଇଥିଲା। ପରେ ଏକ ବୈଠକରେ ଗ୍ରାମବାସୀଙ୍କ ସହିତ ପ୍ରଶାସନିକ ପଦାଧିକାରୀ ଓ ରାଜନେତାଙ୍କ ମଧ୍ୟରେ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ପ୍ରତ୍ୟେକ ପରିବାରକୁ ଗୋଟିଏ ମିଠା ପ୍ୟାକେଟ ସହିତ ୨ କମ୍ବଳ ବଣ୍ଟନ କରାଯାଇଥିଲା ବେଳେ ଆବାସ ଯୋଜନାର ହିତାଧିକାରୀଙ୍କୁ ଆବାସ ଯୋଗାଇ ଦେବା ନିମନ୍ତେ ଆବେଦନ କାରୀ ମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କମ୍ୟୁନିଟି ଫରେଷ୍ଟ ଆକ୍ଟ ୨୦୦୬/୮ ଅନୁସାରେ ୫ ଜଣଙ୍କୁ କମ୍ୟୁନିଟ ଫରେଷ୍ଟ ରାଇଟ୍ସ୍ ପଟ୍ଟା ବଣ୍ଟନ କରାଯାଇଥିଲା । ଆଜି ବର୍ଷର ଶେଷ ସନ୍ଧ୍ୟାରେ ସାରା ବର୍ଷ ଯାକର ଆନନ୍ଦ ଉପଲବ୍ଧି ମିଳିଲା ଏବଂ କାର୍ଯ୍ୟର ସାର୍ଥକତା ମିଳିଗଲା ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ଜିଲ୍ଲାପାଳ । ଏହା ସହିତ ଗ୍ରାମରେ ଅସ୍ଥାୟୀ ବିଦ୍ୟାଳୟ ଖୋଲା ଯାଇଥିବା ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି ।

ଗ୍ରାମକୁ ପକ୍କା ସଡ଼କ ନହେଲେ ମଧ୍ୟ ଯାତାୟତ ସୁବିଧା କରାଯାଇଛି । ନୟାଗଡ଼ ସଦରମହକୁମାଠାରୁ ପ୍ରାୟ ୫୦ କିମି ଦୂର ଅଗାଢ଼ ଗାଢ଼ ଜଙ୍ଗଲ ମଧ୍ୟରେ ରହିଥିବା ଗ୍ରାମବାସୀ ଆଜି ସ୍ୱାଧିନତାର ସ୍ୱାଦ ଚାଖିଥିବା କହିଛନ୍ତି । ନୟାଗଡ଼ ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟକୁ ଜିଲ୍ଲାବାସୀ ପ୍ରଶଂସା କରିଛନ୍ତି । ସେହିପରି ନୟାଗଡ଼ ଜିଲ୍ଲାର ଅନ୍ୟ ବ୍ଲକରେ ମଧ୍ୟ ଏଭଳି ସୁବିଧା ସୁଯୋଗ ଯୋଗାଇ ଦେବାକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ପଟ୍ଟନାୟକ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି ।


