
ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ୩୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବାର୍ଷିକ ଉତ୍ସବ ସିତୁଆ ସଂଧ୍ୟାକୁ ମତୁଆଲା କରିବା ପାଇଁ ନାଟକ ‘ ଏଇ ଯେ ସୂର୍ଯ୍ୟ ଉଏଁ ‘ ନାଟକ ମଞ୍ଚସ୍ଥ ହୋଇଯାଇଛି। ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ନାଟ୍ୟକାର ରାମଚନ୍ଦ୍ର ମିଶ୍ର ଅତିଥି ଭାବେ ଯୋଗ ଦେଇ ମଞ୍ଚ ଉଦଘାଟନ କରିଥିଲେ।

ନାଟ୍ୟକାର ପ୍ରାଧ୍ୟାପକ ଡ. ବିଜୟ କୁମାର ଶତପଥୀଙ୍କ ଲିଖିତ, ଅଧ୍ୟାପକ ଆଶୁତୋଷ ମିଶ୍ରଙ୍କ ନିର୍ଦ୍ଦେଶିତ ନାଟକ ଶୀତୁଆ ସଂଧ୍ୟାକୁ ମତୁଆଲା କରିଥିଲା। ଲେଖକ, କବି ଓ ଗାଳ୍ପିକଙ୍କ ଦ୍ଵାରା ଅଭିନୀତ ଏହି ନାଟକ ବେଶ ଚିତ୍ତାକର୍ଷକ ହୋଇଥିଲା। ନାଟକ ପ୍ରଥମ ଦୃଶ୍ୟରେ ପାଲା ପରିବେଷଣ ସାହିତ୍ୟ ଓ ସଂସ୍କୃତି ଯୁଗଳବନ୍ଦୀ ଦର୍ଶକଙ୍କୁ ବିଭୋର କରିଥିଲା। ଶ୍ରମିକ ଶୋଷଣ ନୀତି, କର୍ପୋରେଟ ଦଲାଲ ଓ ଆଇନକୁ ପୂଜା କରୁଥିବା ଅନ୍ଧ ପୁଲିସ କିଭଳି ଷଡ଼ଯନ୍ତ୍ର କରେ ତାହା ନାଟକରେ ଦେଖିବାକୁ ମିଳିଥିଲା।

ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଯୋଗ ଦେଇ କଳାକାର ଓ ଲେଖକ ପରିଷଦ ପରିବାରକୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମକୁ କବି ସ୍ମିତା ସ୍ୱାଇଁ ସଂଯୋଜନା କରିଥିଲେ। ଲେଖକ ପରିଷଦ ସମ୍ପାଦକ ଶେଖ୍ ଅବଦୁଲ ଖାଲିକ ଧନ୍ୟବାଦ ପ୍ରଦାନ କରିଥିଲେ।


