ନୟାଗଡ଼, (ଓଡ଼ିଶା ଲେଖା): ସାଇ ଶିକ୍ଷା ନିକେତନର ପ୍ରଥମ ବାର୍ଷିକ ଉତ୍ସବ-୨୦୨୫ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ ନିକଟରେ ଥିବା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସାଇ ଶିକ୍ଷା ନିକେତନର ଅଧ୍ୟକ୍ଷ ମିଥୁନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସାଇ ଶିକ୍ଷା ନିକେତନର ପ୍ରଥମ ବାର୍ଷିକ ଉତ୍ସବକୁ ଉଦଘାଟନ କରିଥିଲେ । ଏବଂ ଛାତ୍ରଛାତ୍ରୀ ମାନେ ହେଉଛନ୍ତି ଆମର ସଂପତ୍ତି ।

ସଂପତ୍ତିକୁ ଯେମିତି ଆମେ ସୁରକ୍ଷା ଦେଉଛେ, ସେହିଭଳି ଭାବେ ଆମେ ମଧ୍ୟ ପିଲାମାନଙ୍କୁ ସୁରକ୍ଷା ଦେବାର ଆବଶ୍ୟକତା ରହିଛି । ଛାତ୍ରଛାତ୍ରୀ ମାନଙ୍କୁ ଏଟିଏମ ମେସିନ୍ ନକରି ସ୍ନେହ ଆଦର କରିବା ଓ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯେତିକି ପାଠ ପଢେଇବାରେ ଲାଗିଛନ୍ତି, ସେମିତି ଅଭିଭାବକମାନେ ଛାତ୍ରଛାତ୍ରୀଙ୍କ ପାଖରେ ବାପା ମାଆଙ୍କ ଭୂମିକା ଯେମିତି ନିଭାଉଛନ୍ତି, ସେହିଭଳି ଛାତ୍ରଛାତ୍ରୀଙ୍କ ପାଖରେ ଅତିରିକ୍ତ ଭାବେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଭୂମିକା ତୁଲାଇବାର ଆବଶ୍ୟକ ରହିଛି ବୋଲି ମୁଖ୍ୟ ଅତିଥି ଡ଼ ସାହୁ ବକ୍ତବ୍ୟରେ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କୁ ପରାମର୍ଶ ଦେଇଛନ୍ତି ।

ମୁଖ୍ୟ ଅତିଥିଙ୍କ ସହ ନୟାଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଜ୍ୟୋତି ରଞ୍ଜନ ସାମନ୍ତରାୟ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ଭଲ ମଣିଷ ହେବାକୁ ପରାମର୍ଶ ଦେଇଛନ୍ତି । ସମ୍ମାନୀତ ଅତିଥି ଭାବେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିନୋଦିନୀ ସାହୁ, ଏନଏସି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନ୍ ମଞ୍ଚାସିନ ହୋଇଥିବା ବେଳେ ଛାତ୍ର ଛାତ୍ରୀଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

