
ନୟାଗଡ଼, (ଓଡ଼ିଶା ଲେଖା): ପୋଲ ତଳକୁ ଖସି ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତ ବ୍ୟକ୍ତି ମାନେ ହେଲେ ଫକୀର ନାୟକ ଓ ରାଜେନ୍ଦ୍ର ନାୟକ । ଉଭୟ ମୃତ ଶରୀର ପୋଲ ତଳେ ପଡ଼ିଥିବା ଦେଖିବାକୁ ମିଳିଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ବାହାଡ଼ାଝୋଲା ଫାଣ୍ଡି ଅନ୍ତର୍ଗତ ବେରୁଆବାରୀ ପଞ୍ଚାୟତ ତୋଡ଼ିଗାଡିଆ ପୋଲ ତଳେ ଦୁଇ ଜଣଙ୍କର ମୃତ ଶରୀର ପଡିଥିବା ଆଜି ସକାଳୁ ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ମୃତ ଶରୀର ଦେଖିବା ପରେ ସ୍ଥାନୀୟ ଲୋକ ନିକଟସ୍ଥ ଫାଣ୍ଡିକୁ ଖବର ଦେଇଥିଲେ । ବାହାଡ଼ା ଖୋଲା ଫାଣ୍ଡି ଅଧିକାରୀ ପହଞ୍ଚି ମୃତ ଶରୀର ଜବତ କରିବା ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି । ପ୍ରାଥମିକ ସୂଚନାନୁସାରେ, ମୃତକ ମାନେ ହେଲେ ଗିରିଡିପଲ୍ଲି ପଞ୍ଚାୟତ ଢ଼ଉଝୋଲା ଉପର ସାହିର ସୁଦର୍ଶନ ନାୟକଙ୍କ ପୁଅ ଫକୀର ନାୟକ (୪୦) ଓ ସ୍ବର୍ଗତ କୈଳାସ ନାୟକଙ୍କ ପୁଅ ରାଜେନ୍ଦ୍ର ନାୟକ(୩୮)। ଉଭୟ ବାହାଡ଼ାଝୋଲା କୌଣସି କାମରେ ଆସିଥିଲେ କିନ୍ତୁ ବିଳମ୍ବିତ ରାତିରେ ଘରକୁ ଫେରିଲା ସମୟରେ ତୋଡ଼ିଗାଡିଆ ପୋଲ ତଳକୁ ଖସି ପଡ଼ିଥିଲେ । ଯାହାଫଳରେ ସକାଳୁ ଲୋକ ଦେଖିଲା ବେଳକୁ ଉଭୟଙ୍କ ଚେତା ନଥିଲା । ଖବର ପାଇ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପହଞ୍ଚି ଉଦ୍ଧାର କରି ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ରଖିଥିବା ଜଣାପଡ଼ିଛି । ସେପଟେ ଘଟଣା ସ୍ଥଳରୁ ମଟର ସାଇକେଲ ଜବତ କରିବା ସହ ପାରିପାର୍ଷିକ ତଦନ୍ତ ଆରମ୍ଭ କରିଛି ଓଡ଼ଗାଁ ପୋଲିସ୍।


