
ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ଆଜି ନୂଆଗାଁ ବ୍ଳକରେ ଅନୁଷ୍ଠିତ ହୋଇଯାଇଛି। ନୂଆଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରୁ ୬୫ଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ଜଣାପଡ଼ିଛି । ୬୫ଟି ଅଭିଯୋଗରୁ ଗ୍ରାମ୍ୟ ସମସ୍ୟା ନେଇ ୬ଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ସହାୟତା ପାଇବା ପାଇଁ ଜଣେ ବ୍ୟକ୍ତି ଅଭିଯୋଗ ଆସିଥିଲା । ତେବେ ବିଭିନ୍ନ ପଞ୍ଚାୟତର ଜନସାଧାରଣଙ୍କ ବ୍ୟକ୍ତିଗତ ସମସ୍ୟାର ସମାଧାନ ପାଇଁ ସର୍ବାଧିକ ୫୮ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା । ତେବେ ଏହି ସମସ୍ତ ଅଭିଯୋଗରୁ ମାତ୍ର ୨୧ ଅଭିଯୋଗର ସମସ୍ୟା ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲା ତତ୍ କ୍ଷଣାତ ସମାଧାନ କରାଯାଇଥିବା ନେଇ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଆଜିର ଏହି ଜନ ଅଭିଯୋଗ ଶିବିରରେ ଜିଲ୍ଲାପାଳଙ୍କ ସହ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ନୂଆଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମୃତ କୁମାର ରାଉଲ ଓ ସମସ୍ତ ବ୍ଲକ୍ ସ୍ତରୀୟ ଅଧିକାରୀ, ଯନ୍ତ୍ରୀ ମାନେ ଉପସ୍ଥିତ ଥିଲେ ।


