
ନୟାଗଡ଼, (ଓଡ଼ିଶା ଲେଖା): ବେଆଇନ ଭାବେ ଦେହ ବ୍ୟବସାୟ କରିବା କାରଣରୁ ପ୍ରତାପପ୍ରସାଦ ନିକଟସ୍ଥ ଦିପକ ହୋଟେଲକୁ ଆଜି ସିଲ୍ କରି ଦିଆଯାଇଛି । ନୟାଗଡ଼ ତହସିଲଦାର ରାଜେଶ କେଶରୀ ସ୍ୱାଇଁଙ୍କ ଉପସ୍ଥିତିରେ ଇଟାମାଟି ପୁଲିସ ସିଲ କରିଛି । ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ପ୍ରତାପପ୍ରସାଦ ଲାଠିପଡ଼ା ରାସ୍ତାରେ ରହିଥିବା ହୋଟେଲ୍ ଦୀପକ ଉପରେ ଗତ ୩୦ ତାରିଖରେ ପୁଲିସ ଚଢ଼ାଉ କରିଥିଲା । ନୟାଗଡ଼ ଏସ୍ଡିପିଓ ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ନେତୃତ୍ୱରେ ଚଢ଼ାଉ ହୋଇଥିବା ବେଳେ ଏଥିରେ ସଦରଥାନା ଓ ଟାଉନଥାନା ପୁଲିସ ସାମିଲ ହୋଇଥିଲେ । ହୋଟେଲ ଭିତରୁ ଜଣେ ଦେହଜୀବୀକୁ ପୁଲିସ ଉଦ୍ଧାର କରିଥିବା ବେଳେ ଗ୍ରାହକ ଖସି ଯାଇଥିଲା । ଏହା ସହିତ ଆପତି ଜନକ ସାମଗ୍ରୀ ଜବତ କରାଯାଇଥିଲା । ଏହି ଘଟଣାରେ ହୋଟେଲ ମାଲିକ ସୁଦର୍ଶନ ନନ୍ଦଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ତାଙ୍କର ଜାମିନ ନାମାଞ୍ଜୁର ହେବାରୁ ବିଚାର ବିଭାଗୀୟ କାରାଗାରକୁ ପଠାଯାଇଛି । ପ୍ରତାପପ୍ରସାଦ ଓ ଲାଠିପଡ଼ା ରାସ୍ତାରେ ରହିଥିବା ଏହି ହୋଟେଲରେ ଦୀର୍ଘଦିନ ଧରି ବେଆଇନ ଭାବେ ଦେହ ବ୍ୟବସାୟ ହୋଇ ଆସୁଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖା ଯାଉଥିଲା । ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆଜି ନୟାଗଡ଼ ଏସ୍ପି ଏସ୍ ସୁଶ୍ରୀଙ୍କ ନିର୍ଦ୍ଦେଶରେ ଚଢ଼ାଉ ହୋଇଥିଲା । ଆଜି ପୁଲିସ ମାଜିଷ୍ଟେଡ୍ଙ୍କ ଉପସ୍ଥିତିରେ ହୋଟେଲ ଉପର ମହଲାକୁ ଯିବା ରାସ୍ତା, ରୁମ ଗୁଡ଼ିକୁ ସିଲ୍ କରି ଦିଆଯାଇଥିବା ସୂଚନା ମିଳିଛି । ପ୍ରତ୍ୟେକ ରୁମରେ ତାଲା ପକାଇ ତାହା ଉପରେ ନାଲି କପଡ଼ା ଗୁଡ଼ା ଯାଇ ଜଉ ମୁଦ କରାଯାଇଛି । ନୟାଗଡ଼ ସହରର ଅନେକ ହୋଟେଲ ଓ ଲଜରେ ଦେହ ବ୍ୟବସାୟ ଚାଲି ଆସୁଥିଲା । ଦିପକ ରେଷ୍ଟୁରାଣ୍ଡ ଆଣ୍ଡ ଲଜ୍ ଉପରେ ଚଢ଼ାଉ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପରେ ସବୁ ହୋଟେଲ ଓ ଲଜ ମାଲିକଙ୍କ ମନରେ ଛନକା ପଶିଛି ।


