
ନୟାଗଡ଼, (ଓଡ଼ିଶା ଲେଖା): ଏକ୍ସରେ ନୟାଗଡ଼ ପୋଲିସକୁ ସମାଲୋଚନା । ବଙ୍ଗାଳୀ ମାନଙ୍କୁ ଓଡ଼ିଶା ପୋଲିସ ତଡ଼ି ଦେଉଥିବା ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ଟିଏମସି ସାଂସଦ ମହୁଆ ମୈତ୍ରା । ଓଡ଼ିଶା ପୋଲିସକୁ ଟିଏମସି ସାଂସଦ ମହୁଆ ମୈତ୍ରାଙ୍କ ଧମକ। ଓଡ଼ିଶା ଡିଜିପି ଓ ନୟାଗଡ଼ ଏସପିଙ୍କ ଉଦ୍ଦେଶ୍ୟରେ ‘ଏକ୍ସ’ରେ ଧମକ। ନୟାଗଡ଼ରୁ ୪ ବଙ୍ଗାଳୀ ଭାଷୀ ଭାରତୀୟ ନାଗରିକଙ୍କୁ ବେଆଇନ୍ ଭାବେ ତଡ଼ାଯାଇଛି ବୋଲି କହିଲେ। କେବଳ ବଙ୍ଗାଳୀ ହୋଇଥିବାରୁ ସେମାନଙ୍କୁ ତଡ଼ାଯାଇଛି ବୋଲି ମହୁଆଙ୍କ ଅଭିଯୋଗ। ବେଙ୍ଗଲରେ ଲକ୍ଷାଧିକ ଓଡ଼ିଆ ସ୍ନେହ ଓ ସମ୍ମାନର ସହ ରହୁଛନ୍ତି। ଏଭଳି କାର୍ଯ୍ୟାନୁଷ୍ଠାନ ପାଇଁ ଆପଣଙ୍କୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ମହୁଆଙ୍କ ଧମକ। ଅନ୍ୟପଟେ ମହୁଆ ମୈତ୍ରଙ୍କ ଅଭିଯୋଗକୁ ଶତ ପ୍ରତିଶତ ମିଛ କହିଲା ନୟାଗଡ଼ ପୋଲିସ। ପରିଚୟ ପତ୍ର ଯାଞ୍ଚ କରାଯାଇଛି କିନ୍ତୁ ସେମାନଙ୍କୁ ନୟାଗଡ଼ରୁ ବାହାର କରାଯାଇନାହିଁ । ଆଜି ଆରକ୍ଷୀ ଅଧୀକ୍ଷକ ଏସ୍ ସୁଶ୍ରୀ ପ୍ରେସ୍ ମିଟ୍ କରି ଅଭିଯୋଗ ଭିତ୍ତିହିନ ବୋଲି କହିଛନ୍ତି । ବାହାର ରାଜ୍ଯରୁ ଆସି ଜିଲ୍ଲାରେ ରହି ବାହାରେ ବୁଲି ବ୍ଯବସାୟକରୁଥିବା ଲୋକମାନଙ୍କର କିଛି ଦିନ ହେଲା କାଗଜପତ୍ର ଯାଞ୍ଚ କରାଯାଉଥିବା ଆରକ୍ଷୀ ଅଧିକ୍ଷକ କହିଛନ୍ତି । ଓଡଗାଁ ଥାନା ଅଞ୍ଚଳରେ ୧୪ଜଣ ସଂଦିଗ୍ଧ ବ୍ଯକ୍ତିଙ୍କ ଯାଞ୍ଚ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୭ଜଣ ପୋଲିସକୁ ସୂଚନା ନଦେଇ ପଳାଇଯାଇଥିବାବେଳେ ଅନ୍ଯମାନେ ଏବେବି ଆମ ଜିଲ୍ଲାରେ ଅଛନ୍ତି ବୋଲି ଆରକ୍ଷୀ ଅଧିକ୍ଷକ କହିଛନ୍ତି । ଏହା ଭିତରେ ଜିଲ୍ଲାରେ ୧୦୦ରୁ ଅଧିକ ସଂଦିଗ୍ଧଙ୍କ ଯାଞ୍ଚ କରାଯାଇଛି ଏବଂ କୌଣସି ବାଂଲାଦେଶୀ ଚିହ୍ନଟ ହୋଇନଥିବା ନେଇ ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ ପ୍ରକାଶ କରିଛନ୍ତି।


