ନୟାଗଡ଼, (ଓଡ଼ିଶା ଲେଖା): ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ନୟାଗଡ ଜିଲ୍ଲା ପରିଦର୍ଶନରେ ଆସି ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସଦଭାବନା ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲାଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଜିଲ୍ଲା ପଞ୍ଚାୟତ ଅଧିକାରୀ ଓ ସମସ୍ତ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ନୟାଗଡ଼ ପୌରପରିଷଦ ଓ ରଣପୁର, ଦଶପଲ୍ଲା ଓଡ଼ଗାଁ, ଖଣ୍ଡପଡ଼ା ବିଜ୍ଞାପିତ ଅଞ୍ଚଳର ନିର୍ବାହୀ ଅଧିକାରୀମାନେ ଉପସ୍ଥିତ ରହି ସମୀକ୍ଷା ବୈଠକରେ ସାମିଲ ହୋଇଥିଲେ।

ଏଥି ସହିତ ଡେପୁଟି କଲେକ୍ଟର (ନିର୍ବାଚନ), ଆସିଷ୍ଟାଣ୍ଟ କଲେକ୍ଟର (ନିର୍ବାଚନ) ଉପସ୍ଥିତ ଥିଲେ । ବିଭିନ୍ନ ବୁଥ୍ ସଂକ୍ରାନ୍ତୀୟ ତଥ୍ୟ ସହ ସମସ୍ତ ବୁଥ୍ ର ପୁନଃ ନିରୀକ୍ଷଣ ଓ ଅସ୍ଥାୟୀ ଗୃହ ବା ବୁଥ୍ ଗୁଡିକର ପୁନଃ ନିରୀକ୍ଷଣ ସହ ଆଗାମୀ ନିର୍ବାଚନ ନିମନ୍ତେ ଷ୍ଟ୍ରଙ୍ଗ ରୁମ ଓ କାଉଣ୍ଟିଙ୍ଗ ହଲ ସ୍ଥିର କରିବା ପାଇଁ ନିର୍ବାଚନ ଆୟୋଗ ନିର୍ଦେଶ ଦେଇଥିଲେ । ଏହା ପରେ ନିର୍ବାଚନ କମିଶନର ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ କରି ଗଚ୍ଛିତ ଥିବା ବାଲଟ ବକ୍ସ ଗୁଡିକୁ ନିରୀକ୍ଷଣ କରିଥିଲେ।


