ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ପରିଷଦ ଆନୁକୁଲ୍ୟରେ ବନବିଭାଗ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ମିନି କନଫରେସନ୍ସ ହଲଠାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ ବୈଠକ ପରିଚାଳନା କରିଥିଲେ। ବନବିଭାଗ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ସୁବାଷ ଚନ୍ଦ୍ର କହଁର, ବରିଷ୍ଠ ସଦସ୍ୟ ରାମେଶ୍ୱର ଶତପଥି, ଅଖିଳ କୁମାର ଜାନୀ, କ୍ଷୀରୋଦ କୁମାର ମହାପାତ୍ର, ସରୋଜ କୁମାର ରଣସିଂ ପ୍ରମୂଖ ବୈଠକରେ ଯୋଗ ଦେଇଥିବା ବେଳେ ନୟାଗଡ଼ ବନଖଣ୍ଡ ଅଧିକାରୀ ଦେବର୍ଚ୍ଚନ ବେହେରା, ଏସିଏଫ୍ ହିମାଂଶୁ ମୁଦୁଲି, ମହାନଦୀ ବନ୍ୟପ୍ରାଣୀ ଡିଭିଜନ ଏସିଏଫ୍ ଦେବୀପ୍ରସାଦ ରାଉତ, ରଣପୁର ବନାଞ୍ଚଳ ଅଧିକାରୀ ସିଧୁ ସିଂ ପ୍ରମୂଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ନୟାଗଡ଼ ଜିଲ୍ଲାରେ ବାଉଁଶ ଚାରା ରୋପଣକୁ ବିଧାୟକ ଡ଼ ସାହୁ ଗୁରୁତ୍ୱ ଦେଇଥିଲେ । ବିଭିନ୍ନ ସ୍ଥାନରେ ବାଉଁଶ ଜଙ୍ଗଲ ବୃଦ୍ଧି କରାଯିବା ଦ୍ୱାରା ବାଉଁଶ କାରିଗରଙ୍କ ଆର୍ଥିକ ଅଭିବୃଦ୍ଧି ଘଟିବ ବୋଲି କହିଥିଲେ। ସମୀକ୍ଷା ବୈଠକରେ କାମ୍ପା ଯୋଜନା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ୨୦୨୫-୨୬ ମସିହା ପାଇଁ କାମ୍ପା ଯୋଜନାରେ କାର୍ଯ୍ୟକାରୀ ହେବାକୁ ଥିବା ସମସ୍ତ କାର୍ଯ୍ୟ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା, ବନ୍ୟଜନ୍ତୁ ଶୀକାର ରୋକିବା, ବନ ସୁରକ୍ଷା ସମିତି ଗୁଡ଼ିକୁ କ୍ରିୟାଶୀଳ କରାଯିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା । ବିଗତ ୩ ବର୍ଷ ୨୦୨୨-୨୩, ୨୦୨୩-୨୪, ୨୦୨୪-୨୫ ମସିହାରେ ବନବିଭାଗ ଦ୍ୱାରା କରାଯାଇଥିବା ସମସ୍ତ ବୃକ୍ଷରୋପଣ କାର୍ଯ୍ୟ, ଉନ୍ନତୀ ମୂଳକ କାର୍ଯ୍ୟ, ରାସ୍ତା ନିର୍ମାଣ, ନର୍ସରୀଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟର ତାଲିକା ପ୍ରଦାନ ପାଇଁ ଜିଲ୍ଲା ପରିଷଦ ପକ୍ଷରୁ ଡିଏଫ୍ଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଗାମୀ ୨୦ ତାରିଖ ସୁଦ୍ଧା ବନବିଭାଗ ତାଲିକା ପ୍ରଦାନ କଲେ, ଜିଲ୍ଲା ପରିଷଦ ପକ୍ଷରୁ ଗଠିତ କମିଟି ସମସ୍ତ କାର୍ଯ୍ୟର ସ୍ଥିତି ଓ ଅବସ୍ଥିତି ଦେଖିବା ପାଇଁ ପରିଦର୍ଶନ କରିବା ପାଇଁ ନିଷ୍ପତ୍ତି ହୋଇଛି ।


