ନୟାଗଡ଼, (ଓଡ଼ିଶା ଲେଖା): ଭାରତର ମହାନ ସ୍ବାଧୀନତା ସଂଗ୍ରାମୀ ତଥା ଭାରତୀୟଙ୍କ ଗର୍ବ ଗୌରବ ଓ ଆଦର୍ଶ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ବାର୍ଷିକ ପୁର୍ତ୍ତି ଅବସରରେ ନୟାଗଡ଼ ଜିଲ୍ଲା ସ୍ତରୀୟ ଜନଜାତି ଗୌରବ ଦିବସ ଉତ୍ସବ ଦଶପଲ୍ଲା ବ୍ଲକର ଟାକରା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଖଣ୍ଡପଡ଼ାର ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନୟାଗଡ଼ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶ, ଦଶପଲ୍ଲା ତହସିଲଦାର ସ୍ମୃତି ରଞ୍ଜନ ଶତପଥି ,କନ୍ଧମାଳ ସାଂସଦଙ୍କପ୍ରତିନିଧି କିଶୋର ଦଳବେହେରା ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଷ୍ଟଲ ମାଧ୍ୟମରେ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଇଛି । ନୟାଗଡ ଜିଲ୍ଲାର ପ୍ରାଣୀ ସମ୍ପଦ ବିକାଶ ଉପବିଭାଗ ତରଫରୁ ଧରିତି ଆବା ଗ୍ରାମ ଉତ୍କର୍ଷ ଅଭିଯାନ ତରଫରୁ ଛେଳି ଓ କୁକୁଡା ପାଳନ ନିମନ୍ତେ ପାଞ୍ଚ ଜଣ ଚାଷୀଙ୍କୁ କାର୍ଯ୍ୟ ଦେଶ ବଣ୍ଟନ କରାଯାଇଛି । ଜଙ୍ଗଲ ଜମି ଆଇନ୍ ମାଧ୍ୟମରେ ୨୧ ଗୋଟି ଗୋଷ୍ଠୀ ସମ୍ବଳ ପଟା(ଶିରୋନାମା ) ଗ୍ରାମ ଜଙ୍ଗଲ ଅଧିକାର କମିଟିକୁ ପ୍ରଦାନ କରାଯାଇଛି । ଏହି ଉତ୍ସବରେ ଜିଲ୍ଲାର ପ୍ରାୟ ଏକ ହଜାରରୁ ଅଧିକ ଜନସାଧାରଣ ଯୋଗ ଦେଇଥିଲେ । ଜିଲ୍ଲା ମଙ୍ଗଳ ଅଧିକାରୀ ଚିଚରଞ୍ଜନ ବେହେରା ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସରକାରୀ ବୁଗୁଡ଼ା ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ଏବଂ ଟାକରା ଉଚ୍ଚ ବିଦ୍ୟାଳୟର ଛାତ୍ରମାନେ ସମବେତ ନୃତ୍ୟ ପଦର୍ଶନ କରିଥିଲେ। ସର୍ବ ଶେଷରେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଦୁଷ୍ମନ୍ତ ପୃଷ୍ଟି ଉପସ୍ଥିତ ସମସ୍ତ ଅତିଥି, ବିଭାଗୀୟ ଅଧିକାରୀ ,ହିତାଧିକାରୀ ଓ ଜନସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


