ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲାରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଆନୁକୁଲ୍ୟରେ ଆଜି ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ନୟାଗଡ଼ ପଞ୍ଚାୟତ ସମିତି ନୂତନ ସମ୍ମିଳନୀ ଗୃହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ, ବିଧାୟକ କିମ୍ବା ସାଂସଦ ଯୋଗ ଦେଇନଥିବା ବେଳେ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶ, କନ୍ଧମାଳ ସାଂସଦଙ୍କ ପ୍ରତିନିଧି ପର୍ଶୁରାମ ସ୍ୱାଇଁ ଯୋଗ ଦେଇଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶିବ ନାରାୟାଣ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୃଷି ବୈଜ୍ଞାନିକ ଅନୀଲ କୁମାର ସ୍ୱାଇଁ, ଡ. ଅଜୟ କୁମାର ଜେନା ପ୍ରମୂଖ ମଞ୍ଚାସୀନ ହୋଇଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସ୍ୱାଗତ ଅବିଭାଷଣ ରଖିବା ପରେ ଜୈନିକ ଚାଷୀଭାଈ ଜିଲ୍ଲାରେ କେଉଁଠି ମାଣ୍ଡିଆ ଚାଷ କରାଯାଇଛି ବୋଲି ପ୍ରଶ୍ନ କରିବା ସହ ମୁଁ ଜଣେ ଚାଷୀ ମାଣ୍ଡିଆ ଚାଷ କରିବାକୁ ଚାହୁଁଛି କିନ୍ତୁ ବିଭାଗୀୟ ଅଧିକାରୀ ଧରାଛୁଆଁ ଦେଉନଥିବା ନେଇ କ୍ଷୋଭ ଓ ଅସନ୍ତୋଷ ଯାହିର୍ କରିଥିଲେ ।

ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏହାକୁ ନେଇ ହଡ଼ବଡ଼େଇ ଯାଇଥିବା ବେଳେ ଏଠାରେ ଆଲୋଚନା କରିବା ପାଇଁ ପକୃତ ଫୋରମ୍ ନୁହେଁ ବୋଲି କହିଥିଲେ । ଅତିରିକ୍ତ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଚାଷୀ ରଣଜିତ ଦଳବେହେରା ଚୁପ ରହିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ତଥା ଅତିରିକ୍ତ ଜିଲ୍ଲାପାଳ ମାଣ୍ଡିଆ ଏକ ପାରମ୍ପରିକ ଖାଦ୍ୟ ବୋଲି ବକ୍ତବ୍ୟ ରଖିଥିଲେ । ଜିଲ୍ଲାରେ ମାଣ୍ଡିଆ ଚାଷ ପ୍ରଭାବଶାଳୀ ହେଉନି, କିନ୍ତୁ ଚାଷୀଙ୍କୁ ପ୍ରୋତ୍ସାହିତ କରି ଚାଷ ବୃଦ୍ଧି କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ ।
ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମକୁ ଅନୁପସ୍ଥିତ ସାଂସଦ, ବିଧାୟକ ଓ ଜିଲ୍ଲାପାଳ

ଜିଲ୍ଲାରେ ମାଣ୍ଡିଆ ଚାଷକୁ ଅଗ୍ରଗତି କରିବା ପାଇଁ ଏବଂ ଚାଷ କ୍ଷେତ୍ରରେ ବୃଦ୍ଧି କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଦାସ ଆହ୍ବାନ ଦେଇଛନ୍ତି । ଆୟୋଜିତ ମାଣ୍ଡିଆ ଦିବସ ଉପରେ ଅନୁଷ୍ଠିତ ପ୍ରତିଯୋଗିତାର କୃତ୍ତି ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରିଥିଲେ । ଏହା ସହିତ କିଛି ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀକୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଜିଲ୍ଲାରେ ମାଣ୍ଡିଆ ଚାଷ ନହୋଇ ଏନଜିଓ ଗୁଡ଼ିକ କାଗଜ ପତ୍ରରେ ମାଣ୍ଡିଆ ଚାଷ ହେଉଥିବା ଦର୍ଶାଉଥିବା ବେଳେ ଆଜି କାର୍ଯ୍ୟକ୍ରମରେ ପ୍ରାୟୋଜିତ ଭାବେ ଲୁଚାଇବାକୁ ଯଥେଷ୍ଟ ଚେଷ୍ଟା କରାଯାଇଥିବା ଦେଖାଯାଇଥିଲା । ଅତିଥିମାନେ ଆୟୋଜିତ ଏକ ଫଟୋ ଗ୍ୟାଲେରୀକୁ ଉଦଘାଟନ କରିଥିଲେ । ଏହି ଅବସରରେ କୃଷି ଐତିହ୍ୟ ଓ ଜୈବ୍ୟ ବିବିଧତା ସଂରକ୍ଷଣକୁ ନେଇ ହୋଇଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। କୃଷି ଐତିହ୍ୟ ଓ ଜୈବ୍ୟ ବିବିଧତା ସଂରକ୍ଷଣକୁ ନେଇ ପରେ, କୃଷି ବୈଜ୍ଞାନିକମାନେ ଆଲୋଚନା ରଖିଥିଲେ । ଏହି କାର୍ଯ୍ୟକ୍ରମରେ କୃଷି ବିଭାଗର ସମସ୍ତ ଅଧିକାରୀ, କର୍ମଚାରୀ ଓ ଅନେକ ଚାଷୀ ଓ ଏନଜିଓମାନେ ସାମିଲ ହୋଇଥିଲେ ।


