ନୟାଗଡ଼, (ଓଡ଼ିଶା ଲେଖା): ନିଶା ସେବନ କରି ଡ୍ୟୁଟି କରିବା ଦୁଇ ପୋଲିସ୍ କର୍ମଚାରୀଙ୍କୁ ମହଙ୍ଗା ପଡ଼ିଛି । ଏହି ଦୁଇ ପୋଲିସ୍ କର୍ମଚାରୀଙ୍କୁ ନୟାଗଡ଼ ଆରକ୍ଷୀ ଅଧିକ୍ଷକ କାର୍ଯ୍ୟରୁ ନିଲମ୍ବିତ କରିଥିବା ଜଣାପଡ଼ିଛି । ନିଲମ୍ବିତ ହୋଇଥିବା ଦୁଇ ପୋଲିସ୍ କର୍ମଚାରୀଙ୍କ ମଧ୍ୟରୁ ଜଣେ ଏଏସଆଇ ଥିବା ବେଳେ ଆଉ ଜଣେ କନେଷ୍ଟବଲ । ସୂଚନାନୁସାରେ, ଦୁଇ ଦିନ ତଳେ ନୟାଗଡ଼ ସଦର ଥାନାରେ କାର୍ଯ୍ୟରତ ଏଏସଆଇ ପ୍ରଭାସ ଶବର ଓ କନେଷ୍ଟବଲ ପ୍ରସନ୍ନ ପ୍ରଧାନ ନିଶାଦ୍ରବ୍ୟ ସେବନ କରି ସଦର ଥାନା ନିକଟରେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ଏବଂ ନିଶା ସେବନ କରି ରାସ୍ତା କଡ଼ରେ ଗାଡ଼ି ରଖି ଗାଡ଼ି ଉପରେ ଶୋଇବା ଭଳି ଘଟଣା ଲୋକ ଲୋଚନକୁ ଆସିଥିଲା ।ଯାହାକୁ ନେଇ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏହାକୁ ନେଇ ଗୃହ ବିଭାଗ ପକ୍ଷରୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନୟାଗଡ଼ ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଘଟଣାର ତଦନ୍ତ କରି ସତ୍ୟାସତ୍ ଜଣାପଡ଼ିବା ପରେ ଆଜି ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଆଇପିଏସ୍ ଏସ ସୁଶ୍ରୀ ଉଭୟ ପୋଲିସ କର୍ମଚାରୀ ଏଏସଆଇ ପ୍ରଭାସ ଶବର ଓ କନେଷ୍ଟବଲ ପ୍ରସନ୍ନ ପ୍ରଧାନଙ୍କୁ କାର୍ଯ୍ୟାରୁ ନିଲମ୍ବିତ କରିଥିବା ଜଣାପଡ଼ିଛି ।


