ନୟାଗଡ଼, (ଓଡ଼ିଶା ଲେଖା): ହେଇ ହେଇ ହେଇଯାଇଥିବା ବିଧାୟକ, କହୁ କହୁ କହି ହେଇ ଚର୍ଚ୍ଚାକୁ ଆସୁଥିବା ବିଧାୟକଙ୍କ ବୟାନକୁ ନେଇ ନୟାଗଡ଼ରେ ଚର୍ଚ୍ଚା ଜୋର ଧରିଛି । ନୟାଗଡ଼ ସହରର ଦୀର୍ଘଦିନର ପରିଚିତ ପିଟିଏସ୍ ଛକର ନାମ ପରିବର୍ତ୍ତନକୁ ନେଇ ଏବେ ଅସନ୍ତୋଷ ଦେଖାଦେଇଛି। ପିଟିଏସ୍ ଛକକୁ ‘ଆଶୀର୍ବାଦ ସେବା ଜ୍ୟୋତି ଛକ’ ଭାବେ ନାମିତ କରାଯିବା ଘୋଷଣାକୁ ନେଇ ପିଟିଏସ୍ ଅଞ୍ଚଳବାସୀ ଓ ଆଖପାଖ ଅଞ୍ଚଳର ଲୋକେ ଆପତ୍ତି ଉଠାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ମାସେ ବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ ଚାଲିଥିବାବେଳେ ବୁଧବାର ବିଜେପି ପକ୍ଷରୁ ‘ଆଶୀର୍ବାଦ ଜ୍ୟୋତି ରାଲି’ ଆୟୋଜିତ ହୋଇଥିଲା। ଏହି ଅବସରରେ ପିଟିଏସ୍ ଛକର ନାମ ପରିବର୍ତ୍ତନ କରି ‘ଆଶୀର୍ବାଦ ସେବା ଜ୍ୟୋତି ଛକ’ ଭାବେ ଘୋଷଣା କରାଯାଇଥିବା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଖଣ୍ଡପଡ଼ା ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁ ପ୍ରକାଶ କରିଥିବା ଜଣାପଡ଼ିଛି। ତେବେ ଦୀର୍ଘଦିନ ଧରି ନୟାଗଡ଼ ସହରର ପରିଚୟ ଭାବେ ରହିଆସିଥିବା ପିଟିଏସ୍ ଛକର ନାମ ପରିବର୍ତ୍ତନକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପିଟିଏସ୍ ଛକର ନାମ ସହ ଅଞ୍ଚଳବାସୀଙ୍କ ଦୀର୍ଘଦିନର ସ୍ମୃତି ଓ ଭାବାବେଗ ଜଡ଼ିତ ଥିବାରୁ ହଠାତ୍ ନାମ ପରିବର୍ତ୍ତନକୁ ସେମାନେ ସହଜରେ ଗ୍ରହଣ କରୁନଥିବା ଦେଖାଯାଇଛି। ନାମ ପରିବର୍ତ୍ତନ ନକରି ପ୍ରଥମେ ନୟାଗଡ଼ ପିଟିଏସ୍ର ବିକାଶ ସହ ନୟାଗଡ଼ ସହରର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦିଆଯାଉ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି। ଏନେଇ ନାମ ପରିବର୍ତ୍ତନ ନିଷ୍ପତ୍ତିକୁ ଦୃଢ଼ ନିନ୍ଦା କରିବା ସହ ବିରୋଧର ସ୍ୱର ଉଠାଇବା ଆରମ୍ଭ କରିଛନ୍ତି। ତେବେ ପିଟିଏସ୍ ଛକର ଐତିହାସିକ ପରିଚୟ ବଦଳାଇବା ନିଷ୍ପତ୍ତିକୁ ନେଇ ଆଗାମୀ ଦିନରେ ବିରୋଧ ଆହୁରି ତୀବ୍ର ହେବ କି, ନା ନାମ ପରିବର୍ତ୍ତନ ନିଷ୍ପତ୍ତି ପୁନର୍ବିଚାର ହେବ—ତାହାକୁ ନେଇ ଏବେ ନୟାଗଡ଼ବାସୀଙ୍କ ନଜର ରହିଛି।

