ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ସହରର ପ୍ରମୁଖ ପରିଚୟସ୍ଥଳ ଗୋଲେଇ ଛକରେ ବିଭିନ୍ନ ପୋଷ୍ଟର ଲଗାଯିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଛକ ନୟାଗଡ଼ ସହରର ସୌନ୍ଦର୍ଯ୍ୟ ଓ ଅସ୍ମିତାର ଏକ ପ୍ରମୁଖ ପ୍ରତୀକ ହୋଇଥିବାବେଳେ, ରାଜନୈତିକ କାର୍ଯ୍ୟକ୍ରମକୁ ନେଇ ଏଠାରେ ପୋଷ୍ଟର ଲଗାଯାଇଥିବାରୁ ସହରର ସୌନ୍ଦର୍ଯ୍ୟ ନଷ୍ଟ ହେଉଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବୁଦ୍ଧିଜୀବୀ ଓ ସଚେତନ ନାଗରିକମାନେ ଏପରି ଭାବେ ସହରର ପ୍ରମୁଖ ସ୍ଥାନକୁ ପୋଷ୍ଟରରେ ଆଚ୍ଛାଦିତ କରାଯିବାକୁ ନାପସନ୍ଦ କରିଛନ୍ତି। ସହରର ସୌନ୍ଦର୍ଯ୍ୟ ବଜାୟ ରଖିବା ସହ ଗୋଲେଇ ଛକ ଭଳି ପ୍ରମୁଖ ସ୍ଥାନରେ ଅନିୟନ୍ତ୍ରିତ ପୋଷ୍ଟର ଲଗାଇବା ଉପରେ ନିୟନ୍ତ୍ରଣ ଆବଶ୍ୟକ ବୋଲି ସେମାନେ ମତ ଦେଇଛନ୍ତି।ଏହାକୁ ନେଇ ନୟାଗଡ଼ ବିଜେପିର ପୋଷ୍ଟର ଲଗାଇବା ଶୈଳୀ ଓ ମାନସିକତାକୁ ନେଇ ମଧ୍ୟ ସମାଲୋଚନା ହୋଇଛି। ସହରର ସାର୍ବଜନୀନ ସ୍ଥାନର ସୌନ୍ଦର୍ଯ୍ୟ ରକ୍ଷା ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ସଚେତନ ନାଗରିକମାନେ ଦାବି କରିଛନ୍ତି।

