ବଡ଼ମ୍ବା, (ଓଡ଼ିଶା ଲେଖା): ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ପବିତ୍ର ଆୟୁଧ ଶୋଭାଯାତ୍ରା ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ମା’ଙ୍କ ଦଶହରା ପର୍ବର ଏହି ପାରମ୍ପରିକ ଆୟୁଧ ଯାତ୍ରାକୁ ନେଇ ଅଞ୍ଚଳରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା। ପ୍ରତିବର୍ଷ ମୂଳାଷ୍ଟମୀଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ୧୬ ଦିନ ଧରି ମା’ ଭଟ୍ଟାରିକାଙ୍କ ଦଶହରାର ଷୋଡ଼ଶ ଉପଚାର ପୂଜା ଅନୁଷ୍ଠିତ ହୋଇଥାଏ।

ଏହି ଅବସରରେ ପାରମ୍ପରିକ ରୀତିନୀତି ଅନୁସାରେ ମା’ଙ୍କ ଆୟୁଧକୁ ବିରାଟ ଶୋଭାଯାତ୍ରାରେ ମନ୍ଦିରକୁ ଅଣାଯାଇଥାଏ। ମୂଳାଷ୍ଟମୀଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ମା’ ଭଟ୍ଟାରିକା ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାରରେ ସୁସଜ୍ଜିତ ହୋଇ ବିଭିନ୍ନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି। ମା’ଙ୍କ ଆୟୁଧ ଶୋଭାଯାତ୍ରା ଦର୍ଶନ କରିବା ପାଇଁ ବଡ଼ମ୍ବା ସମେତ ଆଖପାଖ ଅଞ୍ଚଳରୁ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଭକ୍ତି ଓ ଆଧ୍ୟାତ୍ମିକତାର ପରିବେଶ ମଧ୍ୟରେ ଶୋଭାଯାତ୍ରା ସମ୍ପନ୍ନ ହୋଇଥିବା ବେଳେ ମା’ଙ୍କ ଆଶୀର୍ବାଦ ପାଇଁ ଭକ୍ତମାନଙ୍କ ମଧ୍ୟରେ ବିଶେଷ ଉତ୍ସାହ ପରିଲକ୍ଷିତ ହୋଇଥିଲା।

