ନରସିଂହପୁର, (ଓଡ଼ିଶା ଲେଖା): କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଜୟମଙ୍ଗଳ ଗ୍ରାମର କୃତୀ ସନ୍ତାନ ତଥା ହାବିଲଦାର ଗିରିଶ ଚନ୍ଦ୍ର ରାଉତ ଦୀର୍ଘ ୨୦ ବର୍ଷର ଚାକିରି ଜୀବନ ଶେଷ କରି ସମ୍ମାନର ସହ ଅବସର ଗ୍ରହଣ କରିଛନ୍ତି। ଦୁଇ ଦଶନ୍ଧି ଧରି ନିଷ୍ଠା, ଶୃଙ୍ଖଳା ଓ କର୍ତ୍ତବ୍ୟନିଷ୍ଠାର ସହ ସେବା ପ୍ରଦାନ କରିବା ପରେ ନିଜ ଗାଁ ମାଟିକୁ ଫେରିଥିବା ଗିରିଶଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି। ତାଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇବା ପାଇଁ ଜୟମଙ୍ଗଳା ୟୁଥ୍ କ୍ଲବ୍ ପକ୍ଷରୁ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଗ୍ରାମବାସୀ ଓ କ୍ଲବ୍ର ସଦସ୍ୟମାନେ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ତାଙ୍କୁ ସମ୍ମାନିତ କରିଥିଲେ। ଏଥିସହ ବାଜା ବଜାଇ ତାଙ୍କୁ ଗ୍ରାମ ପରିକ୍ରମା କରାଇ ଉତ୍ସବମୁଖର ପରିବେଶରେ ସ୍ୱାଗତ କରାଯାଇଥିଲା।

ଦୀର୍ଘ ୨୦ ବର୍ଷର ସେବା ପରେ ଗିରିଶ ଚନ୍ଦ୍ର ରାଉତ ଗାଁକୁ ଫେରିବା ଘଟଣା ଗ୍ରାମବାସୀଙ୍କ ମଧ୍ୟରେ ଖୁସି ଓ ଗର୍ବର ପରିବେଶ ସୃଷ୍ଟି କରିଥିଲା। ତାଙ୍କର ଦୀର୍ଘ ସେବା ଓ କର୍ତ୍ତବ୍ୟନିଷ୍ଠାକୁ ଉପସ୍ଥିତ ବ୍ୟକ୍ତିମାନେ ପ୍ରଶଂସା କରିବା ସହ ଅବସର ପରବର୍ତ୍ତୀ ଜୀବନ ସୁସ୍ଥ, ସୁଖମୟ ଓ ଶାନ୍ତିପୂର୍ଣ୍ଣ ହେଉ ବୋଲି ଶୁଭକାମନା ଜଣାଇଥିଲେ। କାର୍ଯ୍ୟକ୍ରମରେ ଜୟମଙ୍ଗଳା ୟୁଥ୍ କ୍ଲବ୍ର କର୍ମକର୍ତ୍ତାଙ୍କ ସମେତ ବହୁ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତି ଓ ଗ୍ରାମବାସୀ ଉପସ୍ଥିତ ରହି ହାବିଲଦାର ଗିରିଶ ଚନ୍ଦ୍ର ରାଉତଙ୍କ ସେବା, ନିଷ୍ଠା ଓ ଅବଦାନକୁ ସ୍ମରଣ କରିଥିଲେ।

