ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲାର ବିରୁଡ଼ା ପଞ୍ଚାୟତରେ ରାଜନୈତିକ ସମୀକରଣରେ ନୂଆ ମୋଡ଼ ଦେଖାଦେଇଛି। ବିରୁଡ଼ା ପଞ୍ଚାୟତର ସରପଞ୍ଚ ବିଷ୍ଣୁପ୍ରିୟା ସ୍ୱାଇଁ ଓ ସମିତି ସଭ୍ୟା ଶୁଭଲକ୍ଷ୍ମୀ ସାହୁଙ୍କ ସମେତ ଶତାଧିକ ବିଜେଡ଼ି କର୍ମୀ ଆଜି ବିଜେପିରେ ଯୋଗଦେଇଥିବା ଜଣାପଡ଼ିଛି। ଏହି ଯୋଗଦାନକୁ ନେଇ ସ୍ଥାନୀୟ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଦୀର୍ଘଦିନ ଧରି ସମ୍ପୃକ୍ତ ନେତୃତ୍ୱ ଓ କର୍ମୀମାନଙ୍କର ବିଜେପି ସହ ଯୋଗାଯୋଗ ଥିବା ନେଇ ବିଭିନ୍ନ ମହଲରେ ଆଲୋଚନା ହେଉଥିଲା ବୋଲି ସ୍ଥାନୀୟ ରାଜନୈତିକ କର୍ମୀମାନେ କହିଛନ୍ତି। ତେବେ ଆଜିର ଯୋଗଦାନ ପରେ ସେହି ଆଲୋଚନାକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ, ବିରୁଡ଼ା ସରପଞ୍ଚଙ୍କ ସ୍ୱାମୀଙ୍କ ବିରୋଧରେ ବିଭିନ୍ନ ଅନିୟମିତତା ଓ ଦୁର୍ନୀତି ସମ୍ପର୍କିତ ଅଭିଯୋଗ ଥିବା ନେଇ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଏହି ଅଭିଯୋଗଗୁଡ଼ିକର ସତ୍ୟତା ସମ୍ପର୍କରେ ସ୍ୱାଧୀନ ଭାବେ ଯାଞ୍ଚ କରାଯାଇନାହିଁ।

ଆଗାମୀ ଦିନରେ ଏ ସମ୍ପର୍କରେ ତଥ୍ୟ ଓ ଦସ୍ତାବିଜ ସାମ୍ନାକୁ ଆସିଲେ ଘଟଣାର ପ୍ରକୃତ ଚିତ୍ର ସ୍ପଷ୍ଟ ହେବ ବୋଲି ଆଲୋଚନା ଚାଲିଛି। ସେପଟେ, ଶତାଧିକ କର୍ମୀଙ୍କ ଦଳବଦଳ ପରେ ବିରୁଡ଼ା ପଞ୍ଚାୟତର ରାଜନୈତିକ ସମୀକରଣ କିପରି ପ୍ରଭାବିତ ହେବ, ତାହାକୁ ନେଇ ସ୍ଥାନୀୟ ମହଲରେ ଚର୍ଚ୍ଚା ଜୋର ଧରିଛି। ଉକ୍ତ ମିଶ୍ରଣ ପର୍ବରେ ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ବିଜେପି ନେତା ନାଶିର ଅହମ୍ମଦ, ମାଧବ ଚନ୍ଦ୍ର ବେହେରା ପ୍ରମୁଖ ବିଜେଡ଼ି ନେତା ନେତ୍ରୀଙ୍କୁ ସ୍ୱାଗତ କରିଥିଲେ । ମିଶ୍ରଣକୁ ନେଇକି ମଧ୍ୟ ରାଜବାଟୀରେ ବିରୁଡ଼ା ପଞ୍ଚାୟତର କିଛି କର୍ମୀ ଓ ବିରୁଡ଼ା ସରପଞ୍ଚଙ୍କ ସ୍ୱାମୀଙ୍କ ମଧ୍ୟରେ ବଚସା ହୋଇଥିବା ଶୁଣିବାକୁ ମିଳିଛି । ଏହାକୁ ନେଇ ସୋସିଆଲ ମିଡ଼ିଆରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି ।କୋଟି କୋଟି ଟଙ୍କାର ଦୁର୍ନୀତିକୁ ଘଣ୍ଟ ଘୋଡାଇବା ପାଇଁ ବିଜେପି ଦଳରେ ଶରଣ ପଶିଥିବା ନେଇ ଆଲୋଚନା ହେଉଛି ।

