ନୟାଗଡ଼, (ଓଡ଼ିଶା ଲେଖା): ଜମି ଓ ସମ୍ପତ୍ତି ବିବାଦକୁ କେନ୍ଦ୍ର କରି ଦଶପଲ୍ଲା ଥାନା ଅନ୍ତର୍ଗତ ଅନନ୍ତ ବିହାରରେ ଜଣେ ମହିଳାଙ୍କ ପଶି ମହିଳା ଓ ତାଙ୍କ ନାବାଳିକା ଝିଅକୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। ଆକ୍ରମଣରେ ମହିଳା ଜଣକ ଗୁରୁତର ଆହତ ହୋଇ ପ୍ରଥମେ ଦଶପଲ୍ଲା ଓ ପରେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ସୂଚନାନୁସାରେ, ଅନନ୍ତ ବିହାରରେ ସସ୍ମିତା ସାହୁ ତାଙ୍କ ୧୦ ବର୍ଷର ନାବାଳିକା ଝିଅ ସହ ରହୁଥିଲେ। ଗତ ସୋମବାର ରାତିରେ ସସ୍ମିତାଙ୍କ ଶାଶୁ, ଶଶୁର, ନଣନ୍ଦ, ଭଣଜା ସମେତ କିଛି ଗୁଣ୍ଡା ଶ୍ରେଣୀର ମହିଳା ଓ ପୁରୁଷ ବିଭିନ୍ନ ପ୍ରକାରର ମାରଣାସ୍ତ୍ର ନେଇ ତାଙ୍କ ଘରର ଗ୍ରିଲ୍ ଭାଙ୍ଗି, ଘରେ ପଶିଥିଲେ। ଲାଗିଥିବା ସମସ୍ତ ସିସିଟିଭି ଭାଙ୍ଗି ଦେଇଥିଲେ ଏବଂ ସସ୍ମିତା ଓ ନାବାଳିକା ଝିଅକୁ ଆକ୍ରମଣ କରିବା ସହ ସସ୍ମିତାଙ୍କ ତଳିପେଟକୁ ଗୋଇଠା ମାରିଥିଲେ ଜୀବନରୁ ମାରିଦେବାକୁ ବସିଥିଲେ। ସସ୍ମିତା ଜୀବନ ବିକଳରେ ୧୧୨କୁ କଲ୍ କରିଥିଲେ। ପୋଲିସ ପହଞ୍ଚିବା ପୂର୍ବରୁ ଆକ୍ରମକାରୀମାନେ ସସ୍ମିତାଙ୍କ ସୁନା ଅଳଙ୍କାର ଓ ମୋବାଇଲ ଛଡେଇ ନେଇଥିଲେ।

ଗଲା ବେଳେ ସିସିଟିଭି ର ହାର୍ଡଡିକ୍ସି ତାଡ଼ି ନେଇଥିବା ନେଇ ଅଭିଯୋଗ ହୋଇଛି। ଖବର ପାଇ ଦଶପଲ୍ଲା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳା ଓ ନାବାଳିକାଙ୍କୁ ଉଦ୍ଧାର କରିଥିଲା। ଆହତ ସସ୍ମିତାଙ୍କୁ ଚିକିତ୍ସା ପାଇଁ ଦଶପଲ୍ଲା ମେଡିକାଲକୁ ନିଆଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଛି। ସସ୍ମିତାଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ଦଶପଲ୍ଲା ପୋଲିସ ତଦନ୍ତ କରି ୮ ଜଣ ମହିଳା ଓ ୨ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଉ କେତେକ ଆକ୍ରମକାରୀ ଓ ମୁଖ୍ୟ ଅଭିଯୁକ୍ତ ମାନେ ଫେରାର ଥିବା ଜଣାପଡ଼ିଛି। ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ଶାନ୍ତିଲତା ବିଶୋଇ (୪୨), ଚିନ୍ମୟ ବିଶୋଇ (୨୪), ସୁଲୋଚନା ନାୟକ (୨୭), ସୁକାନ୍ତ କୁମାର ସିଂହ (୩୦), ସୌଦାମିନୀ ସୁତାର (୪୬), ଝରଣା ମଲ୍ଲିକ (୨୯), ପୁଷ୍ପଲତା ସିଂହ (୪୧), ମଞ୍ଜୁଲତା ମଲ୍ଲିକ (୪୧), ନିରୁପମା ମଲ୍ଲିକ (୩୦), ପଦ୍ମାବତୀ ଦେହୁରୀ (୩୨)ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ବିନୟ ରଞ୍ଜନ ପରିଡ଼ା ସୂଚନା ପ୍ରଦାନ କରିଛନ୍ତି। ତେବେ ସସ୍ମିତାଙ୍କ ସ୍ୱାମୀଙ୍କ ପ୍ରାୟ ୪ ବର୍ଷ ତଳେ ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଏହାପରେ ସମ୍ପତ୍ତିକୁ ନେଇ ପରିବାର ମଧ୍ୟରେ ବିବାଦ ଲାଗିରହିଥିବା କୁହାଯାଉଛି। ପ୍ରାଥମିକ ତଦନ୍ତରୁ ସମ୍ପତ୍ତି ବିବାଦକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ପୋଲିସ ଜାଣିବାକୁ ପାଇଥିବା ସୂଚନା ମିଳିଛି। ତେବେ ଗିରଫ ହୋଇଥିବା ମହିଳା ଓ ଯୁବକମାନଙ୍କୁ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ପଠାଇଥିଲା, ତାହା ଏବେ ତଦନ୍ତର ବିଷୟ। ଘଟଣାର ପ୍ରକୃତ କାରଣ ଏବଂ ଏହା ପଛରେ ଥିବା ବ୍ୟକ୍ତିଙ୍କ ସମ୍ପର୍କରେ ନିରପେକ୍ଷ ତଦନ୍ତ ହେଲେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।

