ନୟାଗଡ଼ କେବଳ ଏକ ଜିଲ୍ଲା ନୁହେଁ, ଏହା ପ୍ରକୃତିର ଅପୂର୍ବ ଉପହାରରେ ସମୃଦ୍ଧ ଏକ ସବୁଜ ଭୂଖଣ୍ଡ। ପାହାଡ଼, ପର୍ବତ, ଜଙ୍ଗଲ, ଝରଣା ଓ ବିସ୍ତୃତ ସବୁଜ ବନାନୀ ନୟାଗଡ଼ର ପରିଚୟକୁ ଅଧିକ ସୁନ୍ଦର କରିଛି। ଏହି ସବୁଜିମା ନୟାଗଡ଼ବାସୀଙ୍କ ପାଇଁ କେବଳ ସୌନ୍ଦର୍ଯ୍ୟ ନୁହେଁ; ଏହା ଜୀବନ, ଜୀବିକା ଓ ଆଗାମୀ ପିଢ଼ିର ଭବିଷ୍ୟତ ସହ ଜଡ଼ିତ।ବନ ଆମକୁ ଅମ୍ଳଜାନ ଦିଏ, ବର୍ଷାରେ ସନ୍ତୁଳନ ରକ୍ଷା କରେ, ମାଟି କ୍ଷୟକୁ ରୋକେ ଏବଂ ଅସଂଖ୍ୟ ବନ୍ୟ ଜୀବଜନ୍ତୁଙ୍କୁ ଆଶ୍ରୟ ଦିଏ। ନୟାଗଡ଼ର ଜଙ୍ଗଲ ଅନେକ ଲୋକଙ୍କ ଜୀବନ-ଜୀବିକାର ମଧ୍ୟ ଏକ ପ୍ରମୁଖ ଆଧାର। ତେଣୁ ଜଙ୍ଗଲକୁ କେବଳ କାଠ କିମ୍ବା ସମ୍ପଦ ଭାବେ ଦେଖିବା ଆମର ବଡ଼ ଭୁଲ ହେବ।କିନ୍ତୁ ବିକାଶର ଦୌଡ଼ରେ ଆଜି ଏହି ସବୁଜ ବନାନୀ ବିଭିନ୍ନ ଚାପର ସମ୍ମୁଖୀନ। ଅବୈଧ ଗଛକଟା, ଜଙ୍ଗଲ ଜମିର ଅନୁପ୍ରବେଶ, ଅସଚେତନତା ଓ ପରିବେଶ ପ୍ରତି ଅବହେଳା ଆମ ପ୍ରାକୃତିକ ସମ୍ପଦ ପାଇଁ ଚିନ୍ତାର କାରଣ ପାଲଟିଛି। ଜଙ୍ଗଲ କମିଲେ ତାହାର ପ୍ରଭାବ କେବଳ ବନ୍ୟଜନ୍ତୁଙ୍କ ଉପରେ ପଡ଼ିବ ନାହିଁ, ମଣିଷର ଜୀବନ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହେବ।ନୟାଗଡ଼ର ସବୁଜିମାକୁ ବଞ୍ଚାଇବା ପାଇଁ କେବଳ ବନ ବିଭାଗ କିମ୍ବା ପ୍ରଶାସନ ଉପରେ ନିର୍ଭର କଲେ ହେବ ନାହିଁ। ସ୍ଥାନୀୟ ଲୋକ, ଯୁବପିଢ଼ି, ଛାତ୍ରଛାତ୍ରୀ, ପକୃତିପ୍ରେମି, ସ୍ୱେଚ୍ଛାସେବୀ ସଂଗଠନ ଓ ଜନପ୍ରତିନିଧି—ସମସ୍ତଙ୍କୁ ଏଥିପାଇଁ ଏକାଠି ହେବାକୁ ପଡ଼ିବ। ଗଛ ଲଗାଇବା ସହିତ ଲଗାଇଥିବା ଗଛକୁ ବଞ୍ଚାଇବା ଉପରେ ମଧ୍ୟ ସମାନ ଗୁରୁତ୍ୱ ଦେବା ଆବଶ୍ୟକ।ବିକାଶ ଦରକାର, କିନ୍ତୁ ସେହି ବିକାଶ ପ୍ରକୃତିକୁ ଧ୍ୱଂସ କରି ନୁହେଁ। ରାସ୍ତା, ଶିଳ୍ପ, ଆବାସ ଓ ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ ସହ ପରିବେଶ ସନ୍ତୁଳନକୁ ମଧ୍ୟ ଗୁରୁତ୍ୱ ଦେବାକୁ ହେବ। ପ୍ରକୃତି ସୁରକ୍ଷାକୁ ବିକାଶର ବିରୋଧୀ ନୁହେଁ, ବରଂ ବିକାଶର ଅବିଚ୍ଛିନ୍ନ ଅଂଶ ଭାବେ ଗ୍ରହଣ କରିବାର ସମୟ ଆସିଛି। ନୟାଗଡ଼ର ସବୁଜ ବନାନୀ ଆମ ପୂର୍ବପୁରୁଷଙ୍କ ଠାରୁ ମିଳିଥିବା ଏକ ଅମୂଲ୍ୟ ଐତିହ୍ୟ। ସବୁଜ ବନାନୀ ଉପରେ ନିର୍ଭରଶୀଳ ହୋଇ ଜୀବନ ନିର୍ବାହ କରନ୍ତି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଲୋକମାନେ। ଏହାକୁ ଆମେ ଆଗାମୀ ପିଢ଼ି ପାଇଁ ସୁରକ୍ଷିତ ରଖିପାରିଲେ ହିଁ ଆମର ଦାୟିତ୍ୱ ସାର୍ଥକ ହେବ। ଆଜି ଗୋଟିଏ ଗଛ ବଞ୍ଚାଇବା ଅର୍ଥ ଆସନ୍ତାକାଲିର ଅନେକ ଜୀବନକୁ ସୁରକ୍ଷିତ କରିବା। ନୟାଗଡ଼ ସବୁଜ ରହୁ, ଜଙ୍ଗଲ ସୁରକ୍ଷିତ ରହୁ, ପ୍ରକୃତି ହସୁ—ଏହା ହିଁ ଆମ ସମସ୍ତଙ୍କ ସାମୂହିକ ସଂକଳ୍ପ ହେବା ଦରକାର।

