ନୟାଗଡ଼, (ଓଡ଼ିଶା ଲେଖା): ଶରଣକୂଳ ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। ଗ୍ୟାସ୍ ପାଇଁ ଯାଇ ଜଣେ ଯୁବକ ଶବ ହୋଇ ହୋଇ ଫେରିଥିବା ବେଳେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି। ମୃତ ଯୁବକ ଜଣଙ୍କ ହେଲେ ନିରଞ୍ଜନ ବାରିକ। ସୂଚନାନୁସାରେ, ନୟାଗଡ଼ ସଦର ବ୍ଲକ ଇଟାମାଟି ଥାନା ଅନ୍ତର୍ଗତ ବାଉଁଶିଆପଡ଼ା ଗ୍ରାମର ନଟବର ବାରିକଙ୍କ ୩୩ବର୍ଷୀୟ ପୁଅ ନିରଞ୍ଜନ ବାରିକ୍ ଆଜି ସକାଳୁ ଇଣ୍ଡିଏନ୍ଗ୍ୟାସ୍ ଆଣିବା ପାଇଁ ସୋଲପଟା ଯାଇଥିଲେ। ତେବେ ଆଜି ଅପରାହ୍ନ ସାଢ଼େ ୧ଟା ସମୟରେ ଜାମୁଝୋଲା ରାସ୍ତାର ଏକ ରାସ୍ତା କଡ଼ରେ ଥିବା ଗଛ ନିକଟରେ ତାଙ୍କ ମୃତ ଶରୀର ପଡ଼ିଥିଲା। ତେବେ ସ୍ଥାନୀୟ ଲୋକେ କେହି ଜଣେ ପଡିଥିବାର ଦେଖି ଶରଣକୂଳ ଥାନାକୁ ଖବର ଦେଇଥିଲେ ।

ଶରଣକୂଳ ପୋଲିସ ଘଟଣା ସ୍ଥଳରେରେ ପହଞ୍ଚି ଅଚିହ୍ନା ଯୁବକ ଥିବାରୁ ତାଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆଣିଥିଲେ। ଡ଼ାକ୍ତର ତାଙ୍କୁ ଦେଖି ମୃତ ଘୋଷଣା କରିଥିଲେ। ପୋଲିସ ଉକ୍ତ ଯୁବକଙ୍କ ଶବ ଜବତ କରି ପ୍ରାଥମିକ ତଦନ୍ତ ପଚରା ଉଚରା କରିବା ପରେ, ମିଳିଥିବା ଶବର ପରିଚୟ ମିଳିଥିଲା। ପୋଲିସ ପରିବାର ଲୋକଙ୍କୁ ଜଣାଇଥିଲେ।

ସେପଟେ ଯୁବକର ମୁଣ୍ଡ ପଛ ପାଖ ଓ ନାକରୁ ରକ୍ତସ୍ରାବ ଥିବା ଦେଖି ପରିବାର ଲୋକ ତାଙ୍କ ପୁଅକୁ କେହି ବାଡ଼େଇ ବାଡ଼େଇ ହତ୍ୟା କରିଥିବା ନେଇ ଅଭିଯୋଗ କରିଛି। ଶରଣକୂଳ ପୋଲିସ ଏହାକୁ ଗୁରୁତ୍ୱ ଦେଇ ପରିବାର ଲୋକଙ୍କ ଅଭିଯୋଗକୁ ଆଧାରରେ ନିରଞ୍ଜନଙ୍କ ଶବକୁ ପୋଷ୍ଟମର୍ଟମ କରିବାକୁ ରଖିଥିବା ବେଳେ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଏବଂ ନୂଆ ହୋଣ୍ଡା ମୋଟରସାଇକଲ୍ ମଧ୍ୟ ଜବତ କରିଛି ଶରଣକୂଳ ପୋଲିସ।

