ନୟାଗଡ଼,(ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ପରିଷଦ ସଭାଗୃହ ସୃଜନଠାରେ ନୟାଗଡ଼ ଜିଲ୍ଲା ମହୋତ୍ସବ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଉପ-ଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର ପ୍ରମୁଖ ଯୋଗ ଦେଇଥିଲେ । ପ୍ରତିବର୍ଷ ଭଳି ନୟାଗଡ଼ ଜିଲ୍ଲା ମହୋତ୍ସବ ଡିସେମ୍ବର ମାସ ୨୪ ତାରିଖରେ ଆରମ୍ଭ ହୋଇ ପାଞ୍ଚ ଦିନ ଧରି ନୟାଗଡ଼ ଷ୍ଟାଡିୟମରେ ଚାଲୁ ରହିବ ବୋଲି ନିଷ୍ପତ୍ତି ହୋଇଛି । ଜିଲ୍ଲା ମହୋତ୍ସବ ପ୍ରସ୍ତୁତି ବୈଠକ ବସୁଛି କିନ୍ତୁ ଯେଉଁ ମାନେ ମହୋତ୍ସବ ପାଇଁ ଦିନରାତି ଏକ୍ କରୁଛନ୍ତି, ସେମାନଙ୍କୁ ଏହି ବୈଠକକୁ ନ ଡାକିବାରୁ କ୍ଷୋଭ ପ୍ରକାଶ କରିଥିଲେ ।

ମହୋତ୍ସବ ପାଇଁ ସମସ୍ତ କମିଟି ବିଷୟରେ ଆଲୋଚନା କରାଯାଇଥିଲା।ଗତବର୍ଷ କମିଟିକୁ ଗୁରୁତ୍ୱ ନଦେଇ ପ୍ରଶାସନ ମନମାନୀ କରିଥିବାରୁ କ୍ଷୋଭ ପ୍ରକାଶ ପାଇଥିଲା । ଯାହାକୁ ନେଇ ନୟାଗଡ଼ ବିଧାୟକ ପ୍ରତି କମିଟି ବୈଠକ ଡାକି ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ । ଚଳିତ ବର୍ଷ ଜିଲ୍ଲା ମହୋତ୍ସବ ସହ ପଲ୍ଲିଶ୍ରୀ ମେଳା, ପୁସ୍ତକ ମେଳା ଓ ଯନ୍ତ୍ରପାତି ମେଳା ଆୟୋଜନ କରାଯିବାକୁ ଧାର୍ଯ୍ୟ କରାଯାଇଛି । ଗତବର୍ଷ ଭଳି କୃଷି ଯନ୍ତ୍ରପାତି ମେଳା ପାଇଁ ୬୦ ଷ୍ଟଲ, ପୁସ୍ତକ ମେଳା ପାଇଁ ୨୦ ଷ୍ଟଲ ଓ ଖାଦ୍ୟ ପାଇଁ ୫୦ ଷ୍ଟଲ ବ୍ୟବସ୍ଥା କରାଯିବ ବୋଲି ଆଲୋଚନା ହୋଇଛି । ଏହା ସହିତ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ବଳକା ଷ୍ଟଲ ବ୍ୟବସ୍ଥା କରାଯିବା ଉପରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଅନେକ ଗଣମାଧ୍ୟମ ପ୍ରତିନିଧି, ଜନପ୍ରତିନିଧି, ବିଭିନ୍ନ ବିଭାଗ କର୍ମଚାରୀ ସାମିଲ ହୋଇଥିଲେ ।


