ଓଡ଼ିଶା ଲେଖା ଅଫିସ୍:ସରକାର ପ୍ରଚାର ଓ ଭାଷଣରେ କୃଷି ଓ କୃଷକଙ୍କ ସରକାର କହୁଥିବା ବେଳେ ବାସ୍ତବ ପକ୍ଷେ ଚାଷୀ ଓ ଚାଷର ଉନ୍ନତି ପାଇଁ ଠୋସ୍ ଯୋଜନା କିଛି ନକରି ଚାଷୀ ମାରଣ ନୀତି ଆପଣାଇଛନ୍ତି। ଅଷ୍ଟମ ବେତନ କମିଶନ ସୁପାରିଶ କରି କର୍ମଚାରୀଙ୍କୁ ବଜେଟର ହାରାହାରି ଅଧା ଅଜାଡ଼ି ଦେଲା ବେଳେ ଚାଷୀ ସୁରକ୍ଷା ଭତ୍ତା ପାଇଁ ବଜେଟର ୬ ଭାଗରୁ ଭାବେ ଦେବାର ନା ଧରୁନାହାଁନ୍ତି। ୨୦୨୬ ଜାନୁୟାରୀରୁ ଗୋଟିଏ ଚପରାଶିର ଦରମା ୪୫,୦୦୦ ହେଲା ବେଳେ, ୨୦ ବର୍ଷ ବୟସରୁ ଗୋଟିଏ ଚାଷୀ ଯିଏ ଦେଶର ପେଟକୁ ସୁରକ୍ଷାର ସେବା ଯୋଗାଉଛି, ତା ପାଇଁ ଚପରାଶିର ୪ ଭାଗରୁ ଭାଗେ ଅର୍ଥାତ୍ ହାରାହାରି ମାସକୁ ୧୦,୦୦୦ ଟଙ୍କା ଦେବା ପାଇଁ ସରକାର କୁଣ୍ଠାବୋଧ କରୁଛନ୍ତି କାହିଁକି ? ଓଡ଼ିଶାରେ ଏକ ପ୍ରତିଶତ ଚାକିରିଆ ବଜେଟର ହାରାହାରି ଅଧା ୧ ଲକ୍ଷ କୋଟିରୁ ଉର୍ଦ୍ଧ୍ବ ଦରମା ପେନସନ ନେଇଯାଉଥିବା ବେଳେ ସମ୍ବିଧାନର ଧାରା ୨୧ର ଆଧାର ଉପରେ କାହିଁକି ଓଡ଼ିଶାର ୩୬ ଲକ୍ଷ ଚାଷୀ ମାସିକ ୧୦,୦୦୦ ହିସାବରେ ୪୩ ହଜାର ୨ଶହ କୋଟି ଟଙ୍କା (ଯାହା ବଜେଟର ୬ ଭାଗରୁ ଭାଗେ) ଚାଷୀକୁ ଦେବା ପାଇଁ ସରକାରଙ୍କର ପ୍ରସ୍ତୁତି କାହିଁକି ନାହିଁ ?

ସେହିଭଳି ଏଥରକ ୨୬୬ ଟଙ୍କା ୟୁରିଆ ସାରକୁ ଚାଷୀ ସ୍ଥଳ ବିଶେଷରେ ୩ ଗୁଣା ଦାମ୍ ଦେଇ ୮୦୦ ରୁ ୧,୦୦୦ ଟଙ୍କାରେ କିଣିଛନ୍ତି। ଧାନ ବିକ୍ରି ସମୟରେ ମିଲରମାନଙ୍କ ମନମାନି କରି ୬ରୁ ୧୨ କେଜି ପର୍ଯ୍ୟନ୍ତ ଧାନ କାଟିନେଇଛନ୍ତି। ସବୁଠାରୁ ଦୁଃଖ ଓ କ୍ଷୋଭର ବିଷୟ ଯେ, ଭାଗଚାଷୀଙ୍କୁ ସରକାର ଚାଷୀର ମାନ୍ୟତା ଦେବାପାଇଁ ବାଟ ବାହାର କରୁନାହାନ୍ତି। କାଳିଆ ଯୋଜନାରେ ପ୍ରୋତ୍ସାହନ ପାଇଥିବା ସମସ୍ତ ଚାଷୀଙ୍କ ଠାରୁ ସରକାର ଧାନ କିଣିବା ପାଇଁ ପଦକ୍ଷେପ ନେବାକୁ ଆହ୍ବାନ ଦିଆଯାଇଥିଲା, କିନ୍ତୁ ତାହା କଥାରେ ରହିଗଲା।


