ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ବିଦ୍ୟୁତ ଡିଭିଜନରେ ଘୋର କର୍ମଚାରୀ ଅଭାବ ମଧ୍ୟରେ ୨୩ ଜଣ ଲାଇନମ୍ୟାନଙ୍କୁ ଛଟେଇ କରିବା ଉଦ୍ୟମକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏହି ପଦକ୍ଷେପକୁ ବିରୋଧ କରି ଆବଶ୍ୟକ କର୍ମଚାରୀ ନିୟୋଜନ ଓ ଛଟେଇ ବନ୍ଦ ଦାବିରେ ରାଜ୍ୟ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଆସନ୍ତା ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ଜନସ୍ୱାର୍ଥରେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ନୟାଗଡ଼ ବାର୍ ଆସୋସିଏସନର ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ଚେତାବନୀ ଦେଇଛନ୍ତି। ସ୍ମାରକପତ୍ରରେ ଦର୍ଶାଯାଇଛି ଯେ, ଟିପିସିଓଡିଏଲ୍ (TPCODL) ଅଧୀନରେ ଥିବା ନୟାଗଡ଼ ବିଦ୍ୟୁତ ଡିଭିଜନରେ କର୍ମଚାରୀ ଅଭାବ ଯୋଗୁଁ ବିଦ୍ୟୁତ ଭିତ୍ତିଭୂମିର ରକ୍ଷଣାବେକ୍ଷଣ ଓ ମରାମତି କାର୍ଯ୍ୟ ପ୍ରଭାବିତ ହେଉଛି। ଜିଲ୍ଲାର ପ୍ରାୟ ୨ ଲକ୍ଷ ୧୭ ହଜାର ଘରୋଇ ଓ ବ୍ୟବସାୟିକ ଉପଭୋକ୍ତା ନିୟମିତ ବିଦ୍ୟୁତ ବିଲ୍ ଓ ଅନ୍ୟାନ୍ୟ ଦେୟ ପୈଠ କରୁଥିଲେ ମଧ୍ୟ ଉପଯୁକ୍ତ ସେବା ପାଇବାରେ ବାଧା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି। ସ୍ମାରକପତ୍ର ଅନୁଯାୟୀ, ନୟାଗଡ଼ ବିଦ୍ୟୁତ ଡିଭିଜନ ଅଧୀନରେ ୨୪ଟି ପ୍ରାଇମେରୀ ସବ୍ଷ୍ଟେସନ୍, ୩୬୦ କିଲୋମିଟର ୩୩ କେଭି ଲାଇନ୍, ୩,୫୦୦ କିଲୋମିଟର ୧୧ କେଭି ଲାଇନ୍ ଏବଂ ୭,୧୦୦ଟି ଡିଷ୍ଟ୍ରିବ୍ୟୁସନ୍ ଟ୍ରାନ୍ସଫର୍ମର ରହିଛି। ଏତେ ବିସ୍ତୃତ ବିଦ୍ୟୁତ ଭିତ୍ତିଭୂମିର ରକ୍ଷଣାବେକ୍ଷଣ ଓ ଉପଭୋକ୍ତାଙ୍କୁ ସୁରକ୍ଷିତ ସେବା ଯୋଗାଇବା ପାଇଁ ଅତିକମରେ ୪୫୦ରୁ ୫୨୦ ଜଣ କ୍ଷେତ୍ର କର୍ମଚାରୀ ଆବଶ୍ୟକ ବୋଲି ଦାବି କରାଯାଇଛି। କିନ୍ତୁ ବର୍ତ୍ତମାନ ଠିକା ସଂସ୍ଥା ମାଧ୍ୟମରେ ମାତ୍ର ୨୯୫ ଜଣ ଲାଇନମ୍ୟାନ୍, ୧୬ ଜଣ ସୁପରଭାଇଜର ଓ ଜଣେ ସୁରକ୍ଷା ଅଧିକାରୀ କାର୍ଯ୍ୟ କରୁଥିବା ସ୍ମାରକପତ୍ରରେ ଉଲ୍ଲେଖ ରହିଛି। ଏଭଳି ସ୍ଥିତିରେ କର୍ମଚାରୀ ବଢ଼ାଇବା ପରିବର୍ତ୍ତେ ୨୩ ଜଣ ଲାଇନମ୍ୟାନଙ୍କୁ ହଟାଇବା ଉଦ୍ୟମ ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ଦାଶ ଯୁକ୍ତି ବାଢ଼ିଛନ୍ତି। ଲାଇନମ୍ୟାନଙ୍କ ଛଟେଇ ହେଲେ ବିଦ୍ୟୁତ ବିଭ୍ରାଟର ମରାମତି, ଲାଇନ୍ ରକ୍ଷଣାବେକ୍ଷଣ ଓ ଜରୁରୀକାଳୀନ ସେବା ଗୁରୁତର ଭାବେ ପ୍ରଭାବିତ ହୋଇପାରେ। ଫଳରେ ଉପଭୋକ୍ତାମାନେ ବାରମ୍ବାର ବିଦ୍ୟୁତ କାଟ, ଲୋ-ଭୋଲ୍ଟେଜ୍ ଓ ବିଦ୍ୟୁତ ଯନ୍ତ୍ରପାତି ପୋଡ଼ିଯିବା ଭଳି ସମସ୍ୟାର ସମ୍ମୁଖୀନ ହେବା ଆଶଙ୍କା ରହିଛି। ଏହା ସହିତ ବିଦ୍ୟୁତ ଭିତ୍ତିଭୂମିର ସୁରକ୍ଷା ଓ ଜନସାଧାରଣଙ୍କ ନିରାପତ୍ତା ନେଇ ମଧ୍ୟ ଚିନ୍ତା ପ୍ରକାଶ କରାଯାଇଛି। ସ୍ମାରକପତ୍ରରେ ୨୩ ଜଣ ଲାଇନମ୍ୟାନଙ୍କ ଛଟେଇ ପ୍ରକ୍ରିୟା ତୁରନ୍ତ ସ୍ଥଗିତ ରଖିବା ସହ ନୟାଗଡ଼ ବିଦ୍ୟୁତ ଡିଭିଜନର ଆବଶ୍ୟକତା ଅନୁଯାୟୀ ପର୍ଯ୍ୟାପ୍ତ କର୍ମଚାରୀ ନିୟୋଜନ କରିବାକୁ ଦାବି ହୋଇଛି। ଏହାର ନକଲ ଟିପିସିଓଡିଏଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ଓ ନୟାଗଡ଼ ଜିଲ୍ଲାପାଳଙ୍କୁ ମଧ୍ୟ ପଠାଯାଇଛି। ଆସନ୍ତା ୭ ଦିନ ମଧ୍ୟରେ ପ୍ରଶାସନ ପକ୍ଷରୁ ଉଚିତ ପଦକ୍ଷେପ ନିଆନଗଲେ ଭାରତୀୟ ସମ୍ବିଧାନର ଧାରା ୨୨୬ ଅନୁଯାୟୀ ଓଡ଼ିଶା ହାଇକୋର୍ଟରେ ରିଟ୍ ପିଟିସନ୍ ଦାଖଲ କରାଯିବ ବୋଲି ରଣଜିତ ଦାଶ ସ୍ପଷ୍ଟ କରିଛନ୍ତି। ଏବେ ଶକ୍ତି ବିଭାଗ ଓ ଟିପିସିଓଡିଏଲ୍ କର୍ତ୍ତୃପକ୍ଷ ଏହି ଅଭିଯୋଗ ଉପରେ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ନଜର ରହିଛି।











