ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ରିଜର୍ଭ ପୋଲିସ ଗ୍ରାଉଣ୍ଡଠାରେ ୬୭ତମ ପୋଲିସ ଶହୀଦ ଦିବସ-୨୦୨୬ ପାଳିତ ହୋଇଯାଇଛି। ରିଜର୍ଭ ଆରକ୍ଷୀ ଅଧିକାରୀ ବିରଞ୍ଚି ନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ପାତ୍ର ପୋଲିସ ପ୍ୟାରେଡ୍ରେ ସାମିଲ ହେବା ସହ ଦେଶର ସୁରକ୍ଷା, ଆଇନଶୃଙ୍ଖଳା ରକ୍ଷା ଓ ଜନସାଧାରଣଙ୍କ ସେବା କରିବା ସମୟରେ ପ୍ରାଣବଳି ଦେଇଥିବା ବୀର ଶହୀଦ ପୋଲିସ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖିଥିଲେ। ଶହୀଦମାନଙ୍କ ଅମର ତ୍ୟାଗ, ସାହସ ଓ କର୍ତ୍ତବ୍ୟନିଷ୍ଠାକୁ ସ୍ମରଣ କରିବା ସହ ସେମାନଙ୍କ ବଳିଦାନ ଦେଶବାସୀଙ୍କ ପାଇଁ ସର୍ବଦା ପ୍ରେରଣା ହୋଇ ରହିବ ବୋଲି ଏହି ଦିବସର ମହତ୍ତ୍ୱ ପ୍ରତିଫଳିତ ହୋଇଥିଲା।

ଏହି ସମାରୋହରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜ୍ୟୋତି ରଞ୍ଜନ ସାମନ୍ତରାୟ, ନୟାଗଡ଼ ଏସ୍ଡିପିଓ ସୃଷ୍ଟି ପ୍ରଧାନ, ଖଣ୍ଡପଡ଼ା ଏସ୍ଡିପିଓ ସରୋଜ କୁମାର ସାହୁ, ଶରଣକୁଳ ଏସ୍ଡିପିଓ ଦୀପ୍ତିକାନ୍ତ ପ୍ରଧାନ, ଡିଏସ୍ପି ନିହାର ରଞ୍ଜନ ମହାନ୍ତି, ସାଇବର ଇନ୍ଚାର୍ଜ ଭାବଗ୍ରାହୀ ରାଉତ, ଡିଆଇବି ଡିଏସ୍ପି ଦିନେଶ କୁମାର ନାୟକ, ଡିଏସ୍ପି କ୍ଷମାସାଗର ପଣ୍ଡା, ଡିଏସ୍ପି ହେଡ୍କ୍ୱାର୍ଟର ସୁଦୀପ୍ତ କୁମାର ସାହୁ, ଡିଏସ୍ପି ସଂଘମିତ୍ରା ନାୟକ ଏବଂ ନୟାଗଡ଼ ଟାଉନ୍ ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନଙ୍କ ସମେତ ଜିଲ୍ଲାର ବହୁ ପୋଲିସ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ପୋଲିସ ଶହୀଦ ଦିବସ ଅବସରରେ ଦେଶର ସୁରକ୍ଷା ଓ ଜନସାଧାରଣଙ୍କ ଶାନ୍ତି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ବୀର ପୋଲିସ କର୍ମଚାରୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।












