ଭୁବନେଶ୍ୱର, (ଓଡ଼ିଶା ଲେଖା): ଭାରତୀୟ ଜନତା ପାର୍ଟିର ଦଳୀୟ ସଂଗଠନକୁ ଯୁବଶକ୍ତି ମାଧ୍ୟମରେ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଭାରତୀୟ ଜନତା ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ଭାବେ ସୁଶ୍ରୀ ଅର୍ପିତା ଅପରାଜିତା ବଡ଼ଜେନାଙ୍କୁ ନବନିଯୁକ୍ତ କରାଯାଇଛି। ଏହି ନିଯୁକ୍ତି ପରେ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଯୁବବର୍ଗଙ୍କୁ ଦଳୀୟ ସଂଗଠନ ସହ ଅଧିକ ଯୋଡ଼ିବା, ଯୁବନେତୃତ୍ୱର ବିକାଶ କରିବା ଏବଂ ସାଂଗଠନିକ କାର୍ଯ୍ୟକଳାପକୁ ତୃଣମୂଳସ୍ତରରେ ଅଧିକ ଗତିଶୀଳ କରିବା କ୍ଷେତ୍ରରେ ଏହି ନିଯୁକ୍ତି ଗୁରୁତ୍ୱ ବହନ କରୁଛି। ଅର୍ପିତା ଅପରାଜିତା ବଡ଼ଜେନାଙ୍କ ଉପରେ ଦଳ ପକ୍ଷରୁ ଦିଆଯାଇଥିବା ଏହି ଦାୟିତ୍ୱ ଯୁବମୋର୍ଚ୍ଚାର ସାଂଗଠନିକ କାର୍ଯ୍ୟକୁ ନୂଆ ଦିଗ ଦେବ ବୋଲି ଆଶା ପ୍ରକାଶ ପାଇଛି। ନବନିଯୁକ୍ତ ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକାଙ୍କୁ ଦଳୀୟ ନେତା, କର୍ମୀ ଓ ଶୁଭେଚ୍ଛୁମାନେ ଅଭିନନ୍ଦନ ଜଣାଇବା ସହ ତାଙ୍କର ନୂତନ ଦାୟିତ୍ୱର ସଫଳତା କାମନା କରିଛନ୍ତି। ଯୁବଶକ୍ତିର ସହଯୋଗରେ ଦଳୀୟ ସଂଗଠନକୁ ଆହୁରି ମଜବୁତ କରିବା ଦିଗରେ ସେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିବେ ବୋଲି ଆଶା ରହିଛି।











