ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲାର ସାମଗ୍ରିକ ବିକାଶ ଓ ପ୍ରଗତି ପାଇଁ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଏକ ସକାରାତ୍ମକ ପ୍ରୟାସ ଆରମ୍ଭ ହୋଇଛି। ସ୍ଥାନୀୟ କେସି କ୍ଲବ ସଭାଗୃହରେ ସଂଘ ପକ୍ଷରୁ ‘ମୋ ସ୍ୱପ୍ନର ନୟାଗଡ଼’ ଶୀର୍ଷକ ଏକ ବୁଦ୍ଧିଜୀବୀ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନାରେ ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ ଦାବି ପୁଣି ଜୋର ଧରିଛି। ଆଲୋଚନାଚକ୍ରରେ ଜିଲ୍ଲାର ବିଭିନ୍ନ ବର୍ଗର ଜନସାଧାରଣ, ବୁଦ୍ଧିଜୀବୀ, ଆଇନଜୀବୀ, ସମାଜସେବୀ, ରାଜନୈତିକ ନେତା ଓ ସାମ୍ବାଦିକମାନେ ଯୋଗଦେଇ ନୟାଗଡ଼ର ବିକାଶ ସମ୍ପର୍କରେ ନିଜ ନିଜର ମତ ରଖିଥିଲେ। ବିଶେଷକରି ଜିଲ୍ଲାର ସ୍ୱାସ୍ଥ୍ୟସେବାର ଅବ୍ୟବସ୍ଥା ଓ ଡାକ୍ତର ଅଭାବକୁ ନେଇ ଉଦବେଗ ପ୍ରକାଶ ପାଇଥିଲା। ନୟାଗଡ଼ରେ ଏକ ମେଡିକାଲ କଲେଜ ସ୍ଥାପନ ସହିତ ଅଧିକ ସଂଖ୍ୟକ ଡାକ୍ତର ନିଯୁକ୍ତି ପାଇଁ ଦୃଢ଼ ଦାବି ହୋଇଥିଲା।ଆଲୋଚନାରେ ପିଇବା ପାଣି, ସ୍ୱାସ୍ଥ୍ୟ, କୃଷି, ଶିକ୍ଷା, ଶିଳ୍ପ, ଜଳସେଚନ ଓ ପର୍ଯ୍ୟଟନ ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ମତବିନିମୟ ହୋଇଥିଲା। ଦୀର୍ଘଦିନ ଧରି ବନ୍ଦ ରହିଥିବା ନୟାଗଡ଼ ଚିନିକଳକୁ ପୁନଃ ଚାଲୁ କରିବା, ପଦ୍ମାବତୀ ଠାରେ ମହାନଦୀ ଉପରେ ବ୍ୟାରେଜ୍ ନିର୍ମାଣ, ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପକୁ ଶୀଘ୍ର ସମ୍ପୂର୍ଣ୍ଣ କରିବା ଏବଂ କୃଷି ଓ ପାନୀୟଜଳ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଥିଲା। ସେହିପରି କଣ୍ଟିଲୋ ଓ ଖଣ୍ଡପଡ଼ାକୁ ରେଳପଥ ସହିତ ସଂଯୋଗ କରିବା, ଜିଲ୍ଲାରେ ପ୍ରଚୁର ପରିମାଣରେ ଥିବା ବାଉଁଶକୁ ଆଧାର କରି କାଗଜ କଳ ସ୍ଥାପନ କରିବା ଭଳି ପ୍ରସ୍ତାବ ମଧ୍ୟ ଆଲୋଚନାରେ ଉଠିଥିଲା। ଶିକ୍ଷା କ୍ଷେତ୍ରରେ ସୁଧାର ଆଣିବା ପାଇଁ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି, ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିକାଶ ଏବଂ ସେଗୁଡ଼ିକୁ ସରକାରୀ ସ୍ତରରେ ବିଧିବଦ୍ଧ ମାନ୍ୟତା ପ୍ରଦାନ ପାଇଁ ମଧ୍ୟ ମତ ପ୍ରକାଶ ପାଇଥିଲା।

ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଆଲୋଚନାଚକ୍ରରେ ପୌର ପରିଷଦ ଉପାଧ୍ୟକ୍ଷ ଗୁରୁ ପ୍ରସାଦ ଜେନା, ବିଶିଷ୍ଟ ଆଇନଜୀବୀ ପ୍ରତାପ ନନ୍ଦ, ଓକିଲ ସଂଘର ପୂର୍ବତନ ସଭାପତି ଅମୀୟ ପଟ୍ଟନାୟକ, ବିଜେପି ନେତା ସନ୍ତୋଷ ପ୍ରଧାନ, ଚନ୍ଦ୍ରବିଜୟୀ ମିଶ୍ର, କମ୍ରେଡ୍ ବିଶ୍ୱନାଥ ମହାପାତ୍ର, ଅବସରପ୍ରାପ୍ତ ଅଧ୍ୟକ୍ଷ ଉମର ମଲ୍ଲିକ, ସାମ୍ବାଦିକ ରଜତ ପଟ୍ଟନାୟକ, ସମାଜସେବୀ ଶେଖ ଅବଦୁଲ ଆହାଦ, ଔରେଙ୍ଗ ଜେବ, ଶ୍ରୀକାନ୍ତ ପଟ୍ଟନାୟକ, ଦାମୋଦର ସାହୁ, ସୁରେଶ ସ୍ୱାଇଁ, ଜିତେନ୍ଦ୍ର ସାହୁ, ଶାନ୍ତନୁ ବିଶୋଇ, ମନୋଜ ମିଶ୍ର, ପ୍ରଭାସିନୀ ନନ୍ଦ, ଶ୍ରୀଧର ପ୍ରଧାନ, କୈଳାସ ସାହୁ ଓ ପ୍ରଶାନ୍ତ ଦାସ ପ୍ରମୁଖ ଯୋଗଦେଇଥିଲେ। ସାମ୍ବାଦିକ ଲୋକନାଥ ମିଶ୍ର, ବିଭୁତି ପଟ୍ଟନାୟକ, ଦୀପକ ଦାସ, ଜିତେନ୍ଦ୍ର ମହାପାତ୍ର ଓ ପ୍ରମୋଦ ନନ୍ଦ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ସଂଘର ସମ୍ପାଦକ ସୁବାସ ମହାପାତ୍ର ଆଲୋଚନାଚକ୍ରର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିବାବେଳେ କାର୍ଯ୍ୟକାରୀ ସଭାପତି ନିଶିକାନ୍ତ ରଥ ଧନ୍ୟବାଦ ଅର୍ପଣ କରିଥିଲେ।

