ସମ୍ବଲପୁର, (ଓଡ଼ିଶା ଲେଖା): ସମ୍ବନ୍ଧ ମହିଳା ବୁଣାକାର ପ୍ରୋଡ୍ୟୁସର କମ୍ପାନୀ ଲିମିଟେଡ୍ର ଚତୁର୍ଥ ବାର୍ଷିକ ସାଧାରଣ ସଭା (AGM) ସମ୍ବଲପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ସମ୍ମାନିତ ପଦାଧିକାରୀ, କମ୍ପାନୀର ଅଂଶୀଦାର ଓ ସଦସ୍ୟମାନଙ୍କ ସହଭାଗିତାରେ ସଭା ପରିଚାଳିତ ହୋଇଥିଲା। ସଭାରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ପାତ୍ର, ଜିଲ୍ଲା ପ୍ରକଳ୍ପ ପରିଚାଳକ, ଓଡ଼ିଶା ଜୀବିକା ମିଶନ, ସମ୍ବଲପୁର ସଞ୍ଜୟ କୁମାର ମହାପାତ୍ର, ଯୁଗ୍ମ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମନ୍ତ ହୋତା, ଜିଲ୍ଲା ପ୍ରକଳ୍ପ ସଂଯୋଜକ, ମିଶନ ଶକ୍ତି ଭାରତୀ ବେଶ୍ରା ଏବଂ ବୟନ ଶିଳ୍ପ ବିଭାଗର ବୈଷୟିକ ସହାୟକ ବୈଦ୍ୟନାଥ ଷଣ୍ଢ ପ୍ରମୁଖ ଯୋଗଦେଇଥିଲେ। ବୈଠକରେ ଗତ ଆର୍ଥିକ ବର୍ଷର ଆର୍ଥିକ ହିସାବ ଓ କମ୍ପାନୀର କାର୍ଯ୍ୟକଳାପ ସମୀକ୍ଷା କରାଯିବା ସହ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବିଭିନ୍ନ ଯୋଜନା ଉପରେ ଆଲୋଚନା ହୋଇଥିଲା। ବର୍ତ୍ତମାନର ଡିଜିଟାଲ୍ ଯୁଗରେ ସମ୍ବନ୍ଧ ମହିଳା ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ସମ୍ବଲପୁରୀ ସାମଗ୍ରୀକୁ କେବଳ ସ୍ଥାନୀୟ ବଜାରରେ ସୀମିତ ନରଖି ଇ-କମର୍ସ, ଡିଜିଟାଲ୍ ମାର୍କେଟିଂ, ସୋସିଆଲ୍ ମିଡିଆ ସହିତ ଜାତୀୟ ଓ ଆନ୍ତର୍ଜାତୀୟ ପ୍ରଦର୍ଶନୀ ମାଧ୍ୟମରେ ବିଶ୍ୱ ବଜାରରେ ପହଞ୍ଚାଇବା ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ଏଥିସହ କମ୍ପାନୀ କାର୍ଯ୍ୟାଳୟ ପରିସରରେ ଏକ ବିକ୍ରୟ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ସମସ୍ତ ସଦସ୍ୟ ଉତ୍ପାଦନ ବୃଦ୍ଧି ସହ ଉତ୍ତମ ବ୍ୟବସାୟିକ ପରିଚାଳନା କରି ‘ଲକ୍ଷ୍ମୀପତି ଦିଦି’ ହେବା ଦିଗରେ ଆଗକୁ ବଢ଼ିବାକୁ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର ପରାମର୍ଶ ଦେଇଥିଲେ। ବିଭିନ୍ନ ଜିଲ୍ଲାସ୍ତରୀୟ ମେଳା ସହ ରାଜ୍ୟସ୍ତରରେ ଆୟୋଜିତ ସାରସ ମେଳାରେ ଅଂଶଗ୍ରହଣ କରି ସାମଗ୍ରୀ ବିକ୍ରୟ ବୃଦ୍ଧି କରିବାକୁ ଜିଲ୍ଲା ପ୍ରକଳ୍ପ ପରିଚାଳକ ଶ୍ରୀଯୁକ୍ତ ମହାପାତ୍ର ପରାମର୍ଶ ଦେଇଥିଲେ। କମ୍ପାନୀ ପରିଚାଳନା ମଣ୍ଡଳୀର ଅଧ୍ୟକ୍ଷା ଭୂମିଶୁତା ମେହେର ସମସ୍ତଙ୍କ ସହଯୋଗ ଓ ପ୍ରଚେଷ୍ଟାରେ ଚଳିତ ବର୍ଷ କମ୍ପାନୀ ଭଲ ବ୍ୟବସାୟ କରିବ ବୋଲି ଆଶା ପ୍ରକାଶ କରିଥିଲେ। ସଭାକୁ କମ୍ପାନୀର ମୁଖ୍ୟ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ପରିଚାଳନା କରିଥିବା ବେଳେ ବୈଷୟିକ ସହଯୋଗୀ ସଂସ୍ଥା ଏଫ୍ଡିଆର୍ଭିସିର ଜିଲ୍ଲା ଅଧିକାରୀ ରଜତ କୁମାର ଧନ୍ୟବାଦ ଅର୍ପଣ କରିଥିଲେ।

