ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲାରେ ସମବାୟ ସଦସ୍ୟତା ବୃଦ୍ଧି ଓ ପ୍ୟାକ୍ସଗୁଡ଼ିକୁ ଅଧିକ କ୍ରିୟାଶୀଳ କରିବା ଲକ୍ଷ୍ୟରେ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ ହୋଇଯାଇଛି। ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ନୟାଗଡ଼ ଜିଲ୍ଲା ସମବାୟ ବିଭାଗ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ‘ସମ୍ବନ୍ଧ’ର ଅଭିଯାନର ଶୁଭାରମ୍ଭ ହୋଇଛି । ଜିଲ୍ଲା ସମବାୟ ସମିତି ସମୂହ ଉପ-ନିବନ୍ଧକ ଅନନ୍ତ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଏବଂ ଜିଲ୍ଲାପାଳ ମଧୁମିତା ରଥ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ସହକାରୀ ନିବନ୍ଧକ ପ୍ରାର୍ଥନା ପ୍ରିୟଦର୍ଶିନୀ ଓ ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ବାହୀ ଅଧିକାରୀ ଅଜୟ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।ସ୍ୱାଗତ ଅଭିଭାଷଣରେ ଉପ-ନିବନ୍ଧକ ଅନନ୍ତ କୁମାର ନାୟକ ‘ସମ୍ବନ୍ଧ’ ଅଭିଯାନର ଉଦ୍ଦେଶ୍ୟ ଓ ପ୍ୟାକ୍ସ ମାଧ୍ୟମରେ ଚାଷୀଙ୍କୁ ମିଳୁଥିବା ବିଭିନ୍ନ ସୁବିଧା ସମ୍ପର୍କରେ ସୂଚନା ଦେଇଥିଲେ। ସିଏସ୍ସି ଜରିଆରେ ଚାଷୀମାନେ ପ୍ୟାକ୍ସ ମାଧ୍ୟମରେ ପାଉଥିବା ସେବା ଓ ସମବାୟ ସଂସ୍ଥା ଦ୍ୱାରା କୃଷକଙ୍କ ଉନ୍ନତି ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା।ଜିଲ୍ଲାପାଳ ମଧୁମିତା ରଥ ତାଙ୍କ ବକ୍ତବ୍ୟରେ ପ୍ୟାକ୍ସଗୁଡ଼ିକୁ ଅଧିକ କ୍ରିୟାଶୀଳ କରିବା ପାଇଁ ସମବାୟ ବିଭାଗ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ କହିଥିଲେ। ରାଜ୍ୟ ସରକାର ପ୍ୟାକ୍ସଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ କରିବା ଦିଗରେ ନେଉଥିବା ପଦକ୍ଷେପ ଓ ସହାୟତା ବିଷୟରେ ମଧ୍ୟ ସେ ଆଲୋକପାତ କରିଥିଲେ। ‘ସମ୍ବନ୍ଧ’ ଅଭିଯାନ ମାଧ୍ୟମରେ ନୟାଗଡ଼ ଜିଲ୍ଲାରେ ୬୦ ହଜାର ନୂତନ ସଦସ୍ୟ ଗ୍ରହଣ କରିବାର ଲକ୍ଷ୍ୟ ରହିଥିବା ସେ ସୂଚନା ଦେଇଥିଲେ।

ମୁଖ୍ୟ ଅତିଥି ଇଂ ଦେବାଶିଷ ପଟ୍ଟନାୟକ କହିଥିଲେ ଯେ, ଜଣେ ଚାଷୀ ସମବାୟ ସମିତିର ସଦସ୍ୟ ହେବା ଅର୍ଥ ସମବାୟ ସଂସ୍ଥାରେ ନିଜର ଅଂଶୀଦାରିତ୍ୱ ଜାହିର କରିବା। କେବଳ ସଦସ୍ୟ ସଂଖ୍ୟା ବୃଦ୍ଧି ନୁହେଁ, ସଦସ୍ୟମାନେ ସଚେତନ ହୋଇ ସମବାୟରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ଆବଶ୍ୟକ ବୋଲି ସେ କହିଥିଲେ। ଚାଷୀମାନଙ୍କୁ ସମବାୟରେ ଅଂଶୀଦାର ହୋଇ ସହଭାଗିତା ବୃଦ୍ଧି କରିବାକୁ ସେ ଆହ୍ୱାନ ଦେଇଥିଲେ। ସମିତିକୁ ଆସୁଥିବା ଚାଷୀଙ୍କୁ ସମ୍ମାନର ସହ ବସିବା ପାଇଁ ଚୌକି ଓ ପାଣି ଦେବାକୁ ସେ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ। ନୂତନ ଭାବେ ଗଠିତ ପ୍ୟାକ୍ସଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ। ଏହି ଅବସରରେ ନୟାଗଡ଼ ଜିଲ୍ଲାରେ ସମବାୟ ବିଭାଗ ପକ୍ଷରୁ ନୂତନ ଭାବେ ନିର୍ମିତ ୨୩ଟି ଭିତ୍ତିଭୂମିକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ ଲୋକାର୍ପଣ କରିଥିଲେ। ପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ମଧୁମିତା ରଥ ଓ ଅନ୍ୟ ଅତିଥିମାନେ ଫଳକ ଉନ୍ମୋଚନ କରିଥିଲେ। ଲୋକାର୍ପିତ ଭିତ୍ତିଭୂମି ମଧ୍ୟରେ ଭାପୁର, କଇଥପଲ୍ଲୀ, ଗୁମ୍ମୀ, ଦର୍ପନାରାୟଣପୁର, ଦହିଖାଇ, ବଡ଼ପୁଟ, ଭାଡ଼ିକିଳା, ମାଛିପଡ଼ା ଓ ଜେମାଦେଇପୁରପାଟଣାର ଧାନ ସଂଗ୍ରହ କେନ୍ଦ୍ର ସମେତ ବିଭିନ୍ନ ସ୍ଥାନର ସମବାୟ ସମିତି କାର୍ଯ୍ୟାଳୟ ଓ ଗୋଦାମ ଗୃହ ରହିଛି। କାର୍ଯ୍ୟକ୍ରମକୁ ସାମ୍ବାଦିକ ରାମକୃଷ୍ଣ ରଥ ସଂଯୋଜନା କରିଥିବା ବେଳେ ସମବାୟ ବିଭାଗ ଓ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର କର୍ମଚାରୀମାନେ ମିଳିତ ଭାବେ ପରିଚାଳନା କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ କୁମାର ସେନାପତି, ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ଓ ବହୁ ସଂଖ୍ୟକ ଜନସାଧାରଣ ଉପସ୍ଥିତ ଥିଲେ। ତେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବକ୍ତବ୍ୟ ରଖୁଥିବା ବେଳେ ଅଧାରୁ ଅଧିକ ଚେୟାର ଫାଙ୍କା ପଡ଼ିଥିବା ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ମନ୍ତ୍ରୀଙ୍କ ଭାଷଣ ଶୁଣିବାକୁ ଲୋକ ନଥିଲେ, ଯାହାକି ଏକ ନିନ୍ଦନୀୟ ଘଟଣା ।

