ନୟାଗଡ଼, (ଓଡ଼ିଶା ଲେଖା): ଲଗାଣ ବର୍ଷାର ପ୍ରଭାବରେ ନୟାଗଡ଼ ଜିଲ୍ଲା କଣ୍ଟିଲୋସ୍ଥିତ ପ୍ରସିଦ୍ଧ ଶ୍ରୀ ନୀଳମାଧବଙ୍କ ମନ୍ଦିରର ମେଘନାଦ ପାଚେରୀର ଏକ ଅଂଶ ଭୁଶୁଡ଼ି ପଡ଼ିଛି। ଲଗାତାର ବର୍ଷା ଯୋଗୁଁ ପାଚେରୀ ଦୁର୍ବଳ ହୋଇ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ପାଚେରୀ ଭୁଶୁଡ଼ିବା ଫଳରେ ମନ୍ଦିରର ସୁରକ୍ଷା ଓ ଐତିହ୍ୟକୁ ନେଇ ଭକ୍ତ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି। ଘଟଣାସ୍ଥଳରେ ପାଚେରୀର ଭଗ୍ନାବଶେଷ ପଡ଼ି ରହିଥିବା ବେଳେ ଅଧିକ ବର୍ଷା ହେଲେ ଅନ୍ୟ ଅଂଶ ମଧ୍ୟ କ୍ଷତିଗ୍ରସ୍ତ ହେବା ନେଇ ସେବାୟତ ମାନେ ଆଶଙ୍କା କରିଛନ୍ତି । ମନ୍ଦିରର ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ଭୁଶୁଡ଼ିଥିବା ପାଚେରୀର ପୁନଃନିର୍ମାଣ ସହ ଅନ୍ୟ ଦୁର୍ବଳ ଅଂଶର ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ଭକ୍ତ ଓ ଅଞ୍ଚଳବାସୀ ଦାବି କରିଛନ୍ତି। ଘଟଣାକୁ ନେଇ ସମ୍ପୃକ୍ତ ବିଭାଗ ପକ୍ଷରୁ ତୁରନ୍ତ ତଦାରଖ କରାଯିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।

