ନୟାଗଡ଼, (ଓଡ଼ିଶା ଲେଖା): ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ନୟାଗଡ଼ ଜିଲ୍ଲାରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ପୁଣି ଛୁଟି ଘୋଷଣା କରାଯାଇଛି। ଆଜି, ସେପ୍ଟେମ୍ବର ୨୫ ତାରିଖରେ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଲଗାଣ ବର୍ଷା ଯୋଗୁଁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଯାତାୟାତରେ ସମ୍ଭାବ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।ଏନେଇ ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ସୂଚନା ଦେଇଛନ୍ତି। ଅବିରତ ବର୍ଷା ପରିସ୍ଥିତିରେ ଛାତ୍ରଛାତ୍ରୀ ଓ ଶିଶୁମାନଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଏହି ଛୁଟି ଘୋଷଣା କରାଯାଇଥିବା ଜଣାପଡ଼ିଛି। ପାଣିପାଗ ପରିସ୍ଥିତି ଓ ବର୍ଷାର ତୀବ୍ରତାକୁ ନଜରରେ ରଖି ଆବଶ୍ୟକ ହେଲେ ପରବର୍ତ୍ତୀ ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯିବ।

