ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲାରେ ଅପରାଧିକ ମାମଲାର ଦକ୍ଷ ଓ ସମୟୋଚିତ ଅଭିଯୋଜନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟ (District Directorate of Prosecution)ର ନୂତନ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇଛି। ଗୁରୁବାର ଅପରାହ୍ନ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନବସ୍ଥାପିତ କାର୍ଯ୍ୟାଳୟକୁ ଜିଲ୍ଲାପାଳ ମଧୁମିତା ରଥ ଶୁଭ ଉଦ୍ଘାଟନ କରିଥିଲେ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ନୟାଗଡ଼ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର, ଉପ-ନିର୍ଦ୍ଦେଶକ ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟ ନଳିନୀକାନ୍ତ ମହାରଣା, ସହକାରୀ ନିର୍ଦ୍ଦେଶକ ପ୍ରାଚୀ ପ୍ରଭା ନନ୍ଦ, ସରକାରୀ ଅଭିଯୋଜକ ରାକେଶ କୁମାର ପୋଥଲ, କ୍ୟାଡର ସହକାରୀ ସରକାରୀ ଅଭିଯୋଜକ ଆକାଶ ଦାସ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ କୁମାର ସେନାପତିଙ୍କ ସମେତ ସମସ୍ତ ସରକାରୀ ଓକିଲ, କାର୍ଯ୍ୟାଳୟର କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

କାର୍ଯ୍ୟାଳୟ ଉଦ୍ଘାଟନ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଉପସ୍ଥିତିରେ ପୋଲିସ ଓ ଅଭିଯୋଜନ ବିଭାଗ ମଧ୍ୟରେ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଅପରାଧିକ ନ୍ୟାୟ ବ୍ୟବସ୍ଥାର ସୁଚାରୁ ପରିଚାଳନା, ତଦନ୍ତକାରୀ ସଂସ୍ଥାକୁ ଆଇନଗତ ମତାମତ ଓ ମାର୍ଗଦର୍ଶନ ପ୍ରଦାନ, ପୀଡ଼ିତ ଓ ସାକ୍ଷୀଙ୍କ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ଏବଂ ପୋଲିସ, ନ୍ୟାୟାଳୟ ଓ ଅଭିଯୋଜନ ବ୍ୟବସ୍ଥା ମଧ୍ୟରେ ସମନ୍ୱୟ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା। ନୂତନ ଅଭିଯୋଜନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ମାଧ୍ୟମରେ ଜିଲ୍ଲାର ଅପରାଧିକ ମାମଲାଗୁଡ଼ିକର ଦକ୍ଷ ଓ ସମୟୋଚିତ ଅଭିଯୋଜନ ସହ ନ୍ୟାୟ ପ୍ରଦାନ ପ୍ରକ୍ରିୟା ଆହୁରି ସୁଦୃଢ଼ ହେବ ବୋଲି ଉପସ୍ଥିତ ଅଧିକାରୀମାନେ ଆଶା ପ୍ରକାଶ କରିଥିଲେ।

