ନୟାଗଡ଼, (ଓଡ଼ିଶା ଲେଖା): ଝଡ଼ବର୍ଷା ‘ଅବର୍ଣ୍ଣ’ର ପ୍ରଭାବରେ ନୟାଗଡ଼ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ଏହାର ପ୍ରଭାବରେ ନୟାଗଡ଼ ସଦର ବ୍ଲକ୍ ଅନ୍ତର୍ଗତ ନବଘନପୁର ପଞ୍ଚାୟତର ପିଆଶାଳିଆ, ଲଡ଼ୁକେଶ୍ୱରପୁର ଓ ନବଘନପୁର ଗାଁରେ ବର୍ଷାଜନିତ ଅଘଟଣ ଘଟିଛି।ଲଡ଼ୁକେଶ୍ୱରପୁର ଗାଁର ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ଓ ତାଙ୍କ ବୃଦ୍ଧା ମାଆ ରମାମଣି ପଟ୍ଟନାୟକ ଘରେ ଶୋଇଥିବା ସମୟରେ ହଠାତ୍ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତେବେ ଭାଗ୍ୟବଶତଃ ମାଆ ଓ ପୁଅ ଅଳ୍ପକେ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି। ତେବେ ଘରର କାନ୍ଥ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଥିବାରୁ ପରିବାର ଲୋକେ ଅସହାୟ ହୋଇପଡ଼ିଛନ୍ତି।ସେହିପରି ପିଆଶାଳିଆ ଗ୍ରାମର ପୂର୍ଣ୍ଣଚନ୍ଦ୍ର ନାୟକ, କୈଳାଶ ନାୟକ ଓ ପିନାକୀ ନାୟକଙ୍କ ଘରର କାନ୍ଥ ଓ ରୋଷେଇ ଘର ମଧ୍ୟ ଲଗାଣ ବର୍ଷାରେ ଭୁଶୁଡ଼ି ପଡ଼ିଛି। ଅନ୍ୟପକ୍ଷରେ ନବଘନପୁର ଗାଁର ବଚ୍ଛ ବେହେରାଙ୍କ ଘରେ ବର୍ଷାଜଳ ପଶିଯିବାରୁ ସ୍ଥିତି ଗୁରୁତର ହୋଇଥିଲା। ଖବର ପାଇ ସ୍ଥାନୀୟ ସରପଞ୍ଚ ଚିତ୍ତରଞ୍ଜନ ଭଞ୍ଜ (ବୁଲୁ) ତାଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ରଖିଥିବା ଜଣାପଡ଼ିଛି।ଘଟଣା ସମ୍ପର୍କରେ ଖବର ପାଇ ନୟାଗଡ଼ ତହସିଲଦାର ରାଜେଶ କେଶରୀ ସ୍ୱାଇଁ ଓ ଲେଙ୍କୁଡ଼ିପଡ଼ା ରାଜସ୍ୱ ନିରୀକ୍ଷକ ରତିରଞ୍ଜନ ପାଣିଗ୍ରାହୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ କ୍ଷତିଗ୍ରସ୍ତ ଘରଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିବା ସହ କ୍ଷୟକ୍ଷତିର ଆକଳନ କରିଥିବା ଜଣାପଡ଼ିଛି। ଖୁବଶୀଘ୍ର କ୍ଷତିଗ୍ରସ୍ତ ପରିବାରଗୁଡ଼ିକୁ ସରକାରୀ ନିୟମ ଅନୁଯାୟୀ ଆବଶ୍ୟକ ସୁବିଧା ଓ ସହାୟତା ଯୋଗାଇ ଦିଆଯିବ ବୋଲି ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି।

