ବଡ଼ମ୍ବା, (ଓଡ଼ିଶା ଲେଖା): କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଅଞ୍ଚଳରେ ପୁଣି ଏକ ହାତୀର ମୃତଦେହ ଠାବ ହୋଇଛି। ବଡ଼ମ୍ବା ରେଞ୍ଜ ଅନ୍ତର୍ଗତ ଦୁଧିଆବେରଣୀ ଗାଁ ନିକଟସ୍ଥ ହାଡୁଆ ନାଳରୁ ଏହି ହାତୀର ମୃତଦେହ ମିଳିଛି। ଏହି ଘଟଣା ପରେ ଆଠଗଡ଼ ବନଖଣ୍ଡରେ ହାତୀ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି।ସୂଚନାନୁସାରେ, ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ବଡ଼ମ୍ବା ରେଞ୍ଜ ଅଧୀନ ଗତକାଲି ରାତିରେ ଗାଁର କିଛି ମହିଳା ହାଡୁଆ ନାଳ ନିକଟକୁ ଯାଇଥିବା ବେଳେ ହାତୀର ମୃତଦେହ ଦେଖିଥିଲେ। ଏନେଇ ସେମାନେ ଗ୍ରାମବାସୀଙ୍କୁ ଜଣାଇବା ପରେ ବନ ବିଭାଗକୁ ଖବର ଦିଆଯାଇଥିଲା। ଖବର ପାଇ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବର୍ତ୍ତମାନ ମୃତ ହାତୀଟି ନାଳ ମଧ୍ୟରେ ପଡ଼ି ରହିଥିବା ଜଣାପଡ଼ିଛି। ହାତୀଟିର ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବନ ବିଭାଗ ପକ୍ଷରୁ ତଦନ୍ତ ଓ ଆବଶ୍ୟକ ଯାଞ୍ଚ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଆଠଗଡ଼ ବନଖଣ୍ଡ ଅଞ୍ଚଳରେ ଗତ କିଛି ସମୟ ମଧ୍ୟରେ ବାରମ୍ବାର ହାତୀ ମୃତ୍ୟୁ ଘଟୁଛି। ଗତ ଏକ ବର୍ଷ ମଧ୍ୟରେ ୧୦ରୁ ୧୫ଟି ହାତୀଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ଥାନୀୟ ମହଲରେ ଦାବି କରାଯାଉଛି। ତେବେ ଏହି ଦାବିର ସରକାରୀ ପୁଷ୍ଟି ଏପର୍ଯ୍ୟନ୍ତ ମିଳିନାହିଁ।ପୁଣି ଏକ ହାତୀର ମୃତଦେହ ଠାବ ହେବା ପରେ ହାତୀ ସୁରକ୍ଷା ଓ ବନାଞ୍ଚଳରେ ନିରୀକ୍ଷଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏଥିସହ ହାତୀ ମୃତ୍ୟୁର କାରଣ ଖୋଜିବା ସହ ଭବିଷ୍ୟତରେ ଏଭଳି ଘଟଣା ରୋକିବା ପାଇଁ ବନ ବିଭାଗ କି ପଦକ୍ଷେପ ନେଉଛି, ତାହା ଉପରେ ଏବେ ନଜର ରହିଛି।

