ନୟାଗଡ଼, (ଓଡ଼ିଶା ଲେଖା): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଯୋଗୁଁ ଆସନ୍ତା ୨୩ ଓ ୨୪ ସେପ୍ଟେମ୍ବରରେ ନୟାଗଡ଼ ଜିଲ୍ଲାରେ ସମ୍ଭାବ୍ୟ ଗଭୀର ଅବପାତ, ପ୍ରବଳ ବର୍ଷା ଓ ପରବର୍ତ୍ତୀ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ।ଏନେଇ ନୟାଗଡ଼ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ମଧୁମିତା ରଥଙ୍କ କାର୍ଯ୍ୟାଳୟର ଜରୁରୀକାଳୀନ ବିଭାଗ ପକ୍ଷରୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ଚିଠିରେ କୁହାଯାଇଛି ଯେ, ୨୩ ଓ ୨୪ ସେପ୍ଟେମ୍ବରରେ ସମ୍ଭାବ୍ୟ ପ୍ରବଳ ବର୍ଷା, ଗଭୀର ଅବପାତ ଏବଂ ବନ୍ୟା ପରିସ୍ଥିତିକୁ ନଜରରେ ରଖି ଛାତ୍ରଛାତ୍ରୀ, ଶିଶୁ ଓ କର୍ମଚାରୀଙ୍କ ସୁରକ୍ଷା ପାଇଁ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନିଆଯିବ। ଏହି ନିର୍ଦ୍ଦେଶକୁ ଅତ୍ୟନ୍ତ ଜରୁରୀ (MOST URGENT) ଭାବେ ଗ୍ରହଣ କରି ତତ୍କାଳ ପଦକ୍ଷେପ ନେବାକୁ କୁହାଯାଇଛି। ନୟାଗଡ଼ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି ହୋଇଛି।

