ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଅବସରପ୍ରାପ୍ତ ପୋଲିସ କର୍ମଚାରୀ କଲ୍ୟାଣ ସଂଘର ୭ମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ସ୍ଥାନୀୟ ହୋଟେଲ ଗୋପୀନାଥଠାରେ ଉତ୍ସାହ ଓ ଆନନ୍ଦର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ନୟାଗଡ଼ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ମଞ୍ଚାସୀନ ହୋଇଥିଲେ।

ସଂଘର ସଭାପତିଙ୍କ ସଭାପତିତ୍ୱ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ପାଦକ ବାର୍ଷିକ ବିବରଣୀ ପାଠ କରିବା ସହ ସଂଘର ବିଭିନ୍ନ କାର୍ଯ୍ୟକଳାପ ଓ ଉପଲବ୍ଧି ସମ୍ପର୍କରେ ସୂଚନା ଦେଇଥିଲେ। ଅବସର ପରେ ପୋଲିସ କର୍ମଚାରୀମାନେ କିପରି ଜୀବନଯାପନ କରୁଛନ୍ତି, ସେମାନଙ୍କ ସମ୍ମୁଖୀନ ସମସ୍ୟା ଏବଂ ସରକାରଙ୍କ ପକ୍ଷରୁ ମିଳୁଥିବା ବିଭିନ୍ନ ସୁବିଧା ଓ ସୁଯୋଗ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ କଲ୍ୟାଣ, ସେମାନଙ୍କ ଅଧିକାର ଓ ସରକାରୀ ସୁବିଧା ସୁଯୋଗ ସହଜରେ ଉପଲବ୍ଧ କରାଇବା ଦିଗରେ ସଂଘର ଭୂମିକାକୁ ନେଇ ମଧ୍ୟ ମତବିନିମୟ କରାଯାଇଥିଲା। କାର୍ଯ୍ୟକ୍ରମରେ ସଂଘର ସଦସ୍ୟ ଓ ଅବସରପ୍ରାପ୍ତ ପୋଲିସ କର୍ମଚାରୀମାନେ ଉପସ୍ଥିତ ରହିଥିଲେ।

